ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସ୍ଥଗିତ : ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ଭୁବନେଶ୍ୱରରେ ହାଇଆଲର୍ଟ

27

ଭୁବନେଶ୍ୱର:ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତକୁ ସ୍ଥଗିତ ରଖାଯାଇଛି। ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଷ୍ଟ୍ରପତି ନିଜ ଜନ୍ମମାଟି ରାଇରଙ୍ଗପୁର ସମେତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ପାଣିପାଗ ପୂର୍ବାନୁମାନ ଓ ସୁରକ୍ଷା ଦୃଷ୍ଟିରୁ ଏହି ଗସ୍ତକୁ ଏକ ସପ୍ତାହ ଘୁଞ୍ଚାଇ ଦିଆଯାଇଛି।ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ହୋଇନାହିଁ, ବରଂ ଏହାର ତାରିଖ ପରିବର୍ତ୍ତନ କରାଯାଇଛି। ନୂଆ କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ନଭେମ୍ବର ୪ ଓ ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ଭୁବନେଶ୍ୱରରୁ ଜଟଣୀ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରାଯାଇଛି।ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ମୋଟ ୭୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ ହେବେ। ଏହାସହ ୨୨୩ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୭୧ ଜଣ ଆଇଆଇସି ଏବଂ ୩୭ ଜଣ ଏଏସ୍‌ପି ଓ ଡିଏସ୍‌ପି ସୁରକ୍ଷା ବ୍ୟବସ୍ଥାରେ ରହିବେ। ୧୦ ଜଣ ଏସ୍‌ପି, ଡିସିପି ଓ କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀ ସମଗ୍ର ବ୍ୟବସ୍ଥାର ତଦାରଖ କରିବେ।ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆର୍‌ବିଆଇ ଡାଟା ସେଣ୍ଟରର ଉଦ୍‌ଘାଟନ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ତାଙ୍କ ଯାତାୟାତ ରୁଟ୍‌ ଓ କାର୍ଯ୍ୟକ୍ରମସ୍ଥଳରେ ଯେପରି କୌଣସି ସମସ୍ୟା ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରବିବାର ସନ୍ଧ୍ୟା ୫ଟା ୪୦ରୁ ୬ଟା ୪୦ ପର୍ଯ୍ୟନ୍ତ କେତେକ ରାସ୍ତାରେ ସାଧାରଣ ଯାନବାହନ ଚଳାଚଳ ବନ୍ଦ ରହିବ। କମିଶନରେଟ୍‌ ପୋଲିସ ପକ୍ଷରୁ ଜାରି ସୂଚନା ଅନୁସାରେ, ଆର୍‌ବିଆଇ ଡାଟା ସେଣ୍ଟରରୁ ଇନ୍‌ଫୋଭ୍ୟାଲି ଛକ, ତଳଖେତା ଛକ, ବାଟଭୁଆସୁଣୀ ଛକ ଦେଇ ଜାତୀୟ ରାଜପଥ-୧୬ ଓ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ଟ୍ରାଫିକ୍‌ କଟକଣା ରହିବ।ଏହାପରେ ବେହେରା ସାହି, ଶାସ୍ତ୍ରୀନଗର, ୧୨୦ ବାଟାଲିୟନ୍‌, ପାୱାର ହାଉସ୍‌ ଛକ, ଲୋକଭବନ ଗୋଲେଇ, ଏଜି ଛକ, ହସ୍ପିଟାଲ୍‌ ଛକ ଓ ସୂର କମ୍ପାନୀ ଛକ ଦେଇ ବିମାନବନ୍ଦର ରାସ୍ତା ପର୍ଯ୍ୟନ୍ତ କଟକଣା ଲାଗୁ ହେବ।ପୋଲିସ ପକ୍ଷରୁ ଯାତ୍ରୀମାନଙ୍କୁ ଏହି ରାସ୍ତାଗୁଡ଼ିକୁ ଏଡ଼ାଇ ବିକଳ୍ପ ରୁଟ୍‌ ବ୍ୟବହାର କରିବାକୁ କୁହାଯାଇଛି।

Comments are closed, but trackbacks and pingbacks are open.