ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

40

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ୨ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଆସୁଥିବାବେଳେ ଆଜି ଦିନ ପ୍ରାୟ ୧୧ଟା ୧୫ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସିଧାସଳଖ ଭୁବନେଶ୍ୱରର ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ କାର୍ଯ୍ୟକ୍ରମ ଶେଷ ହେବାପରେ ମଧ୍ୟାହ୍ନ ୧ଟା ୫ ମିନିଟରେ ସେ ରାଜଭବନରେ ଭୋଜନ କରିବେ । ଏହାପରେ ଅପରାହ୍ନରେ ରମାଦେବୀ ମହିଳା ବିଶ୍ୱବଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି ।

ଆସନ୍ତାକାଲି ଅର୍ଥାତ୍ ଶନିବାର ସକାଳେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପରେ କଟକର ନ୍ୟାସନାଲ୍ ରାଇସ୍ ରିସର୍ଚ୍ଚ ସେଣ୍ଟର ଇନଷ୍ଟିଚ୍ୟୁଟ୍‌ରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଇଣ୍ଡିଆ ରାଇସ୍ କଂଗ୍ରେସକୁ ଉଦଘାଟନ କରିବେ । ସେଠାରୁ ସିଧା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଫେରିଯିବେ । ଏହି ଦୁଇଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ନିଜେ ପଢ଼ିଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ସାମିଲ ହେବେ । ଯାହାକୁ ନେଇ ରମାଦେବୀ ୟୁନିଭର୍ସିଟିର ଛାତ୍ରୀଙ୍କ ସହ ରାଷ୍ଟ୍ରପତିଙ୍କ ସହପାଠିନୀ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ।

ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ୱରରେ ୪୦ ପ୍ଲାଟୁନ୍ ଫୋର୍ସ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ବ୍ଲୁ ବୁକ୍ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ୱରେ ୧୪ ଜଣ ଅତିରିକ୍ତ ଡିସିପି, ୩୫ ଜଣ ଏସିପି ଓ ୪୭ ଜଣ ଇନସପେକ୍ଟର ନିୟୋଜିତ ହୋଇଛନ୍ତି ।୧୮୮ ଏସଆଇ ଏବଂ ଏଏସଆଇ ରାଙ୍କ ଅଫିସର ସହ ୫୦ ହୋମଗାର୍ଡ ରହିବେ । ସେହିପରି ରାଷ୍ଟ୍ରପତିଙ୍କ କାରକେଡ଼ ଇନଚାର୍ଜ ଜଣେ ଏସପି ରାଙ୍କ ଅଫିସର ରହିବେ ବୋଲି ସୂଚନା ମିଳିଛି ।

droupadi murmu

Comments are closed, but trackbacks and pingbacks are open.