ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି, ପାଗ ଖରାପ ଯୋଗୁଁ କଲାଇଲୁଣ୍ଡାରୁ ସଡକ ପଥରେ ଆସିଲେ

38

ଭୁବନେଶ୍ୱର: ପ୍ରତିକୂଳ ପାଗ ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ସାମାନ୍ୟ ବିଳମ୍ବ ହୋଇଛି। ଆଜି ଅପରାହ୍ନରେ ନିଜ ଗୃହରାଜ୍ୟକୁ ଦୁଇଦିନିଆ ଗସ୍ତରେ ଆସୁଥିବା ରାଷ୍ଟ୍ରପତିଙ୍କ ହେଲିକପ୍ଟର ପ୍ରଥମେ ଦାଣ୍ଡବୋସ ଏୟାରଷ୍ଟ୍ରିପ୍‌ରେ ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ପାଗ ଖରାପ ହେବାରୁ ସରକାରୀ ସ୍ତରରେ ଜରୁରୀକାଳୀନ ଭାବେ ଗସ୍ତ ସୂଚୀରେ ପରିବର୍ତ୍ତନ କରାଯାଇଛି। ସେ ପଡ଼ୋଶୀ ପଶ୍ଚିମବଙ୍ଗର କଲାଇକୁଣ୍ଡା ଏୟାରବେସ୍‌ରେ ଓହ୍ଲାଇବା ପରେ, ସେଠାରୁ ସଡ଼କ ପଥରେ ରାଇରଙ୍ଗପୁର ଅଭିମୁଖେ ବାହାରିଛନ୍ତି। ରାଷ୍ଟ୍ରପତିଙ୍କ କାର୍‌କେଡ୍ ପଶ୍ଚିମବଙ୍ଗ ସୀମା ଦେଇ ବାଙ୍ଗିରିପୋଷି ଏବଂ ବିଶୋଇ ଦେଇ ରାଇରଙ୍ଗପୁର ଆସୁଛି। ଆଜି ସନ୍ଧ୍ୟା ସୁଦ୍ଧା ସେ ରାଇରଙ୍ଗପୁରରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ରାଷ୍ଟ୍ରପତିଙ୍କ ଯାତ୍ରା ମାର୍ଗ ଏବଂ ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରଶାସନିକ ଓ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି ନିଜ ଜନ୍ମମାଟିରେ ୬୮ତମ ଜନ୍ମଦିନ ପାଳନ କରିବେ। ଏହି ଅବସରରେ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂରଣ ଉପଲକ୍ଷେ ରାଇରଙ୍ଗପୁରଠାରେ ଆୟୋଜିତ ହେବାକୁ ଥିବା ଏକ ବିଶାଳ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Comments are closed, but trackbacks and pingbacks are open.