ବିଧାନସଭାରେ କାମଚଳା ବଜେଟ ଉପସ୍ଥାପନା

75

ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ନିର୍ବାଚନ ପୂର୍ବରୁ ଏହି କାମଚଳା ବଜେଟ ଉପସ୍ଥାପନ ହୋଇଥିବା ବେଳେ ନିର୍ବାଚନ ପରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏହି ବଜେଟରେ ଅଭିବୃଦ୍ଧି ହାର ୭.୨୫% ରହିଥିବା ଦର୍ଶାଯାଇଥିବା ବେଳେ ଆସନ୍ତା ବର୍ଷ ଏହା ୮.୫% ହେବ ବୋଲି ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ୧% ଅଧିକ ରହିଛି। ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଉପସ୍ଥାପନ କରିଥିବା ବଜେଟରେ ଦର୍ଶାଇଛନ୍ତି, ଜଳସେଚନ ଉପରେ ରାଜ୍ୟ ସରକାରଙ୍କ ଅଧିକ ଗୁରୁତ୍ୱ ଦେଉଛନ୍ତି। ୨୦୨୪-୨୫ରେ ୨୫ଟି ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ପାଇଁ ୮୬୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଏହା ଛଡା ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆସନ୍ତା ୫ ବର୍ଷ ମଧ୍ୟରେ ୧୦ ହଜାର ୭୫୯ କୋଟି ବ୍ୟୟରେ ୧୭୦ଟି ନୂଆ ପ୍ରକଳ୍ପ ନିର୍ମାଣ ହେବ। ଏଥିପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୧ ହଜାର ୨୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଚଳିତ କାମଚଳା ବଜେଟରେ ‘ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରତିରୋଧୀ ଲୁଣି ବନ୍ଧ ପ୍ରକଳ୍ପ’ ଅଧୀନରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ୧୯୪ କିଲୋମିଟର ଲୁଣି ବନ୍ଧ ସୁଦୃଢ କରିବାକୁ ୭୬୩ କୋଟି ବ୍ୟୟବରାଦ କରାଯାଇଛି ଓ ବନ୍ୟା ପ୍ରତିରୋଧୀ ବନ୍ଧ ନିର୍ମାଣ ପାଇଁ ୧ ହଜାର ୧୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବଜେଟ ଆଗତ କରି ଅର୍ଥ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି, ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ଘୋଷଣା କରିଛି। ରାଜ୍ୟ ସରକାର ମିଲେଟ ଚାଷକୁ ଗୁରୁତ୍ୱ ଦେଉଥିବାରୁ ୫ ଲକ୍ଷରୁ ଅଧିକ ମିଲେଟ ଚାଷୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଥିବା ସେ କହିଛନ୍ତି।

Comments are closed, but trackbacks and pingbacks are open.