ପ୍ରମୋଦ ଭଗତ ଙ୍କୁ ‘ଖେଳରତ୍ନ’, ବୀରେନ୍ଦ୍ର ଓ ଅମିତଙ୍କୁ ଅର୍ଜୁନ ପୁରସ୍କାର

0 104

ଚଳିତ ବର୍ଷ ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡ଼ମିଣ୍ଟନ ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ ପାଇବେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନ ଚାନ୍ଦ ‘ଖେଳ ରତ୍ନ’ ପୁରସ୍କାର। ପ୍ରମୋଦଙ୍କ ସମେତ ମୋଟ ୧୨ ଜଣ କ୍ରୀଡ଼ାବିତଙ୍କୁ ଚଳିତ ବର୍ଷ ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରାଯିବ। ଏ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତ ବୁଧବାର ଜାତୀୟ କ୍ରୀଡ଼ା ପୁରସ୍କାର କମିଟି ପ୍ରମୋଦ ନାଁ ‘ଖେଳ ରତ୍ନ’ ପାଇଁ ସୁପାରିସ୍ କରିଥିଲା। ଆଉ ଆଜି କ୍ରୀଡ଼ା ମନ୍ତ୍ରଣାଳୟ ଏଥିରେ ମୋହର୍ ମାରିଛି। ପ୍ରମୋଦ ପ୍ରଥମ ଓଡ଼ିଆ କ୍ରୀଡ଼ାବିତ୍ ଭାବେ ‘ଖେଳ ରତ୍ନ’ ପୁରସ୍କାର ପାଇବେ। ଏହା ପୂର୍ବରୁ କୌଣସି ଓଡ଼ିଆଙ୍କୁ ‘ଖେଳ ରତ୍ନ’ରେ ସମ୍ମାନିତ କରାଯାଇନଥିଲା। ସେହିପରି ଓଡ଼ିଆ ହକି ଷ୍ଟାର୍ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।ପ୍ରମୋଦଙ୍କ ବ୍ୟତୀତ ‘ଖେଳ ରତ୍ନ’ ପାଇବାକୁ ଥିବା ଅନ୍ୟ କ୍ରୀଡ଼ାବିତ୍ ମାନେ ହେଲେ ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, ରେସଲର୍ ରବି ଦାହିୟା, ଭାରତୀୟ ହକି ଦଳର ଗୋଲକିପର ପିଆର୍ ଶ୍ରୀଜେଶ, ଭାରତୀୟ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ, ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ମହିଳା ବକ୍ସର ଲଭଲିନ୍ ବୋର୍ଗୋହେନ୍, ଫୁଟବଲର ସୁନୀଲ ଛେତ୍ରୀ, ମହିଳା କ୍ରିକେଟର୍ ମିତାଲୀ ରାଜ, ଆଥଲେଟ୍ ସୁମିତ୍ ଅନ୍ତିଲ୍, ପାରା ଶୁଟର୍ ଅବନୀ ଲେଖରା, ପାରା ବ୍ୟାଡମିଣ୍ଟନ୍ ଖେଳାଳି କ୍ରିଷ୍ଣା ନାଗର ଓ ପାରା ଶୁଟର୍ ଏମ୍ ନରୱାଲ୍। ଆସନ୍ତା ନଭେମ୍ବର ୧୩ ତାରିଖରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ବିଜେତାଙ୍କୁ ପୁରସ୍କୃତ କରିବେ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ମାସରେ ଦେଶର କ୍ରୀଡ଼ାବିତ୍ ମାନଙ୍କୁ ପ୍ରଦାନ କରାଯାଉଥିବା ସମ୍ମାନଜନକ ‘ଖେଳରତ୍ନ ପୁରସ୍କାର’ର ନାଁ ବଦଳାଇ ଦିଆଯାଇଥିଲା। ପୂର୍ବରୁ ଏହାକୁ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ କୁହାଯାଉଥିବା ବେଳେ ଏବେ ଏଥିରୁ ରାଜୀବ ଗାନ୍ଧୀଙ୍କ ନାଁକୁ ହଟାଇ ଦିଆଯାଇଥିବା ବେଳେ ଏବେ ଏହାକୁ ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର‘ ନାଁରେ ନାମିତ କରାଯାଇଥିଲା।

Leave A Reply

Your email address will not be published.