ଆନ୍ଧ୍ରମୁହାଁ ସମ୍ଭାବ୍ୟ ବାତ୍ୟା: ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା

35

ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଲଘୁଚାପ କ୍ରମଶଃ ଏକ ଶକ୍ତିଶାଳୀ ବାତ୍ୟାର ରୂପ ନେଉଥିବା ବେଳେ ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ଓ ପବନର ବିପଦ ଘନେଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ଅକ୍ଟୋବର ୨୮ ତାରିଖରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ବାତ୍ୟା ସିଧାସଳଖ ଆନ୍ଧ୍ରମୁହାଁ ହୋଇଥିଲେ ମଧ୍ୟ ଓଡ଼ିଶାର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏହାର ବ୍ୟାପକ ପ୍ରଭାବ ପଡ଼ିବ ବୋଲି ସତର୍କ କରାଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଅକ୍ଟୋବର ୨୭ ତାରିଖରେ ଜଗତସିଂହପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ଏବଂ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଏହାବ୍ୟତୀତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ନବରଙ୍ଗପୁର, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ବାତ୍ୟା ଆନ୍ଧ୍ର ଉପକୂଳ ନିକଟତର ହେବା ସମୟରେ ଅକ୍ଟୋବର ୨୮ ତାରିଖ ଦିନ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ବୃଦ୍ଧି ପାଇବ ଏବଂ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୮୦ କିଲୋମିଟର ଯାଏଁ ଛୁଇଁପାରେ ଏବଂ ଉପକୂଳ ତଥା ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ମଧ୍ୟ ବର୍ଷା ଲାଗିରହିବ। ଏହାପରେ ଅକ୍ଟୋବର ୨୯ ତାରିଖରେ ବାତ୍ୟାର ପ୍ରଭାବ କ୍ରମଶଃ କମୁଥିଲେ ମଧ୍ୟ ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ଓ ପବନର ପ୍ରଭାବ ଜାରି ରହିବ। ବଙ୍ଗୋପସାଗର ଅତ୍ୟନ୍ତ ଅଶାନ୍ତ ରହିବା ଆଶଙ୍କା ଥିବାରୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ କଡ଼ା ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତାକୁ ଦୃଷ୍ଟିରେ ରଖି ସାଧାରଣ ଜନତା ପାଣିପାଗ ବିଭାଗର ନିୟମିତ ବୁଲେଟିନ୍ ଉପରେ ନଜର ରଖିବା ଏବଂ ପ୍ରଶାସନର ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Comments are closed, but trackbacks and pingbacks are open.