ଜିନ୍‌ପିଙ୍ଗଙ୍କ ଭାରତ ଗସ୍ତ ସମ୍ଭାବନା: ୭ ବର୍ଷ ପରେ ଆସିବେ ଚୀନ୍ ରାଷ୍ଟ୍ରପତି

201

ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଖୁବ୍‌ଶୀଘ୍ର ଭାରତ ଗସ୍ତରେ ଆସିବା ନେଇ ଆଶା କରାଯାଉଛି। ଏହା ନିଶ୍ଚିତ ହେଲେ, ବିଗତ ୭ ବର୍ଷ ମଧ୍ୟରେ ଏହା ହେବ କୌଣସି ଚୀନ୍ ଶୀର୍ଷ ନେତାଙ୍କ ପ୍ରଥମ ଭାରତ ଗସ୍ତ। ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ‘ବ୍ରିକ୍ସ ସମ୍ମିଳନୀ ୨୦୨୬’ରେ ଯୋଗଦେବା ପାଇଁ ସି ଜିନ୍‌ପିଙ୍ଗ ଏକ ପ୍ରତିନିଧିମଣ୍ଡଳୀ ସହ ଆସିବେ। ଏହି ଶିଖର ସମ୍ମିଳନୀ ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହେବ। ୨୦୨୦ ଗାଲୱାନ୍ ସୀମା ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ୟରେ ଲାଗିରହିଥିବା କୂଟନୈତିକ ତିକ୍ତତାକୁ ଦୂର କରି ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ପ୍ରୟାସ ଚାଲିଥିବା ବେଳେ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି। ଅନ୍ୟପଟେ ଭାରତ-ଚୀନ୍ ସୀମା ବିବାଦର ସମାଧାନ ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ସ୍ୱତନ୍ତ୍ର ପ୍ରତିନିଧି ସ୍ତରୀୟ ବୈଠକ ପାଇଁ ବର୍ତ୍ତମାନ ଚୀନ୍ ଗସ୍ତରେ ଅଛନ୍ତି। ନିଜର ଦୁଇ ଦିନିଆ ଗସ୍ତ କାଳରେ ସେ ଚୀନ୍ ଉପରାଷ୍ଟ୍ରପତି ହାନ୍ ଝେଙ୍ଗ-ଇନ୍‌ଙ୍କୁ ଭେଟିଛନ୍ତି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଡୋଭାଲ ଓ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ସୀମା ସମସ୍ୟା ଏବଂ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ଗଭୀର ଆଲୋଚନା ହେବ।

Comments are closed, but trackbacks and pingbacks are open.