ପୁଲିସ ଏନକାଉଣ୍ଟର: କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ ଆହତ

72

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ପୁଲିସ ଏନକାଉଣ୍ଟର। ଗୁଳି ବିନିମୟରେ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ ଆହତ ହୋଇଛି। ତା’ର ଡାହାଣ ଆଣ୍ଠୁରେ ଗୁଳି ବାଜିଥିବା ସୂଚନା ମିଳିଛି। ଝାଡ଼ଖଣ୍ଡର ବାସିନ୍ଦା ଏହି ନାଫିସ ନାମରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ୩୦ରୁ ଅଧିକ ଚୋରି ଏବଂ ସଙ୍ଗୀନ ମାମଲା ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ, ଗିରଫ ପରେ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ଆଜି ସକାଳ ପ୍ରାୟ ୫ଟାରେ ମହମ୍ମଦ ନାଫିସକୁ ଚମ୍ପୁଆ ନିକଟସ୍ଥ ପତଳା ଜଙ୍ଗଲକୁ ନିଆଯାଇଥିଲା। ତେବେ ସେଠାରେ ସେ ପୂର୍ବରୁ ଲୁଚାଇ ରଖିଥିବା ଏକ ଦେଶୀ ପିସ୍ତଲ ବାହାର କରି ପୁଲିସ ଦଳ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇଥିଲା, ଯେଉଁଥିରେ ନାଫିସ ଆହତ ହୋଇଥିଲା। ନାଫିସକୁ ପ୍ରଥମେ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନା ଏବଂ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ଉନ୍ନତ ଚିକିତ୍ସା ପାଇଁ ତାକୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ପୁଲିସ ଏକ ଦେଶୀ ବନ୍ଧୁକ ଜବତ କରିଛି। ଏହି ଘଟଣାରେ ଚମ୍ପୁଆ ଥାନାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୯(୧) (ହତ୍ୟା ଉଦ୍ୟମ), ୨୯୬ (ଅଶ୍ଳୀଳ ଆଚରଣ/ଶାନ୍ତିଭଙ୍ଗ) ଏବଂ ଆର୍ମସ ଆକ୍ଟର ଧାରା ୨୫/୨୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ଆନ୍ତଃରାଜ୍ୟ ଚୋରି ଚକ୍ରର ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Comments are closed, but trackbacks and pingbacks are open.