ନୂଆଦିଲ୍ଲୀ: ଆମେରିକାର ଲସ୍ ଆଞ୍ଜେଲସ୍ରେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଛି। ଏକ ବହୁତଳ କୋଠାର ପାର୍କିଂ ସ୍ଥାନରେ ହେଲିକପ୍ଟରଟି ଖସିପଡ଼ିବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଲସ୍ ଆଞ୍ଜେଲସ୍ ଅଗ୍ନିଶମ ବିଭାଗର ମୁଖପାତ୍ର କ୍ୟାପ୍ଟେନ୍ ବ୍ରାଣ୍ଡନ୍ ସିଲଭରମ୍ୟାନଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣା ଯୋଗୁଁ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ଏହା ସହ ପାର୍କିଂରେ ଥିବା ୪ଟି ଗାଡ଼ି ଏବଂ ୨ଟି ଷ୍ଟୋରେଜ୍ କଣ୍ଟେନରରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ଘଟଣାସ୍ଥଳରେ ୫୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୁର୍ଘଟଣା ସମୟରେ ହେଲିକପ୍ଟରରେ କେତେ ଜଣ ଯାତ୍ରୀ ଥିଲେ, ତାହା ସ୍ପଷ୍ଟ କରିବା ପାଇଁ ଭଗ୍ନାବଶେଷ ହଟାଯାଉଛି। ଅନ୍ୟପଟେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଏବଂ ଫେଡେରାଲ ଏଭିଏସନ୍ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।
Comments are closed, but trackbacks and pingbacks are open.