ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର ପୁରୁଣାପାଣି ଛକ ନିକଟରେ ମଙ୍ଗଳବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ୬ ଜଣ ଗୁରୁତରଙ୍କ ସମେତ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବସ୍ଟି କାଶୀରୁ ତୀର୍ଥଯାତ୍ରୀଙ୍କୁ ନେଇ ଆନ୍ଧ୍ରପ୍ରଦେଶ ଫେରୁଥିଲା। ତେବେ ପୁରୁଣାପାଣି ଛକ ନିକଟରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଚାଳକ ଜଣକ ନିୟନ୍ତ୍ରଣ ହରାଇଥିଲେ, ଯାହାଫଳରେ ବସ୍ଟି ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକ ଓ ପୁଲିସ ସହାୟତାରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବେତନଟୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
Comments are closed, but trackbacks and pingbacks are open.