କମିଶନ ରିପୋର୍ଟ ହଜିବା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ

27

କଟକ:ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଷ୍ଟିସ ନାଇଡୁ କମିଶନଙ୍କ ତଦନ୍ତ ରିପୋର୍ଟ ହଜିଯିବା ଘଟଣାକୁ ନେଇ ବୁଧବାର ଦିନ ହାଇକୋର୍ଟରେ ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଛି। ଏହା ସହିତ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଇବା ପାଇଁ ପୁଣି ଥରେ ଦାବି ହୋଇଛି ।ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବାଶିଷ ହୋତା ହାଇକୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି। ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ଗଠିତ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ହଜିଯିବା କେବଳ ଦୁର୍ଭାଗ୍ୟଜନକ ନୁହେଁ, ବରଂ ଏକ ଗୁରୁତର ବିଷୟ ବୋଲି ଆବେଦନରେ ଦର୍ଶାଯାଇଛି। ଏଥିରେ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ାଯିବା ସହ ସମଗ୍ର ମାମଲାର ନୂତନ ଭାବେ ସିବିଆଇ ତଦନ୍ତ ପାଇଁ ପ୍ରାର୍ଥନା କରାଯାଇଛି। କୋର୍ଟ ଆଗାମୀ ଶୁଣାଣି ସମୟରେ ଏହି ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ବିଚାର କରିପାରନ୍ତି ବୋଲି ଜଣାପଡ଼ିଛି। ସେହିପରି ଲୋକସେବା ଭବନ ସ୍ଥିତ ସାଧାରଣ ପ୍ରଶାସନ (ଜିଏ) ବିଭାଗରୁ ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଚୋରି ହେବା ଅଭିଯୋଗକୁ ନେଇ ପୋଲିସ ନିଜର ଖୋଳତାଡ଼ ଜୋରଦାର କରିଛି। ଗତ ଜୁନ୍ ୨୦ ତାରିଖରେ କ୍ୟାପିଟାଲ ଥାନାରେ ଏଫ୍‌ଆଇଆର୍ ରୁଜୁ ହେବା ପରେ, ତଦନ୍ତକାରୀ ଦଳ ସଚିବାଳୟରେ ପହଞ୍ଚି ମୁଖ୍ୟ ଶାସନ ସଚିବ ଏବଂ ସାଧାରଣ ପ୍ରଶାସନ ବିଭାଗର ସରକାରୀ ଦସ୍ତାବିଜ ଓ ରେକର୍ଡପତ୍ର ଯାଞ୍ଚ କରିଛନ୍ତି।

Comments are closed, but trackbacks and pingbacks are open.