ଭାରତରେ ପାକିସ୍ତାନ ସରକାରଙ୍କ ଟ୍ୱିଟର୍ ଆକାଉଣ୍ଟ୍ ବନ୍ଦ: ପିଏଫ୍‌ଆଇ ବ୍ୟାନ୍ ବିରୋଧରେ ଟ୍ୱିଟ୍ ପରେ କାର୍ଯ୍ୟାନୁଷ୍ଠାନ

39

ନୂଆଦିଲ୍ଲୀ: ପାକିସ୍ତାନ ସରକାର ଟ୍ୱିଟର୍ ଆକାଉଣ୍ଟ୍ ଭାରତରେ ବନ୍ଦ କରିଦିଆଯାଇଛି । ମିଡିଆ ରିପୋର୍ଟ ଅନୁସାରେ ଭାରତ ସରକାରଙ୍କ ଲିଗାଲ୍ ଡିମାଣ୍ଡ୍ ପରେ ଟ୍ୱିଟର୍ ଏହି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ପିଏଫ୍‌ଆଇ ଉପରେ ଲାଗିଥିବା ୫ ବର୍ଷର ବ୍ୟାନ୍ ବିରୋଧରେ କିଛିଦିନ ତଳେ ପାକ୍ ସରକାରଙ୍କ ଟ୍ୱିଟର୍ ଆକାଉଣ୍ଟ୍‌ରେ ବିରୋଧ ପ୍ରକଟ କରାଯାଇଥିଲା । ଏହା ଏହି କାର‌୍ୟ୍ୟାନୁଷ୍ଠାନ ପଛର କାରଣ । ତେବେ ଏହି ମାମଲାରେ ଭାରତ ସରକାର କିମ୍ବା ଟ୍ୱିଟର୍ ପକ୍ଷରୁ ଆଧିକାରିକ ମନ୍ତବ୍ୟ ଦିଆଯାଇ ନାହିଁ । ଏହି କାର୍ଯ୍ୟାନୁଷ୍ଠାନ ପରେ ଏବେ ଭାରତରେ ପାକ୍ ସରକାରଙ୍କ ଟ୍ୱିଟର୍ ଆକାଉଣ୍ଟ୍‌କୁ ଓପନ୍ କଲେ ଏଥିରେ ‘ଲିଗାଲ୍ ଡିମାଣ୍ଡ୍ ଯୋଗୁଁ ଏହି ଆକାଉଣ୍ଟ୍ ବନ୍ଦ କରାଯାଇଛି’ ଲେଖାଥିବା ଏକ ନୋଟିସ୍ ଦେଖିବାକୁ ମିଳୁଛି । ଏହି କାରଣରୁ ଟ୍ୱିଟର୍ ହ୍ୟାଣ୍ଡଲ୍‌ରେ ପୋଷ୍ଟ୍ କରାଯାଇଥିବା ଫଟୋ, ଭିଡିଓ ଓ ଟେକ୍ସଟ୍ ଏବେ ଭାରତରେ ଜନତା ଦେଖି ପାରୁନାହାନ୍ତି । କିଛିମାସ ମଧ୍ୟରେ ଏହି ପ୍ରକାରର ଏହା ଦ୍ୱିତୀୟ ଘଟଣା । ଏହି ଆକାଉଣ୍ଟ୍‌କୁ ପୂର୍ବରୁ ଜୁଲାଇରେ ମଧ୍ୟ ବନ୍ଦ କରାଯାଇଥିଲା । ମାତ୍ର ପରେ ଏହାକୁ କାର‌୍ୟ୍ୟକ୍ଷମ କରଦିଆଯାଇଥିଲା । ଜୁନ୍‌ରେ ଟ୍ୱିଟର୍ ସଂଯୁକ୍ତ ରାଷ୍ଟ୍ର, ତୁର୍କୀ, ଇରାନ ଏବଂ ମିଶର୍‌ରେ ଥିବା ପାକିସ୍ତାନ ଦୂତାବାସର ଅଫିସିଆଲ୍ ଆକାଉଣ୍ଟ୍‌କୁ ଭାରତରେ ବ୍ୟାନ୍ କରିଥିଲା । ଏହି ଟ୍ୱିଟର୍ ହ୍ୟାଣ୍ଡଲ୍‌ରେ ଭାରତ ବିରୋଧରେ ମିଥ୍ୟା ଖବର ପ୍ରଚାର କରାଯାଉଥିବା ଅଭିଯୋଗ ହୋଇଥିଲା । ଏହାପରେ ଅଗଷ୍ଟରେ ଭାରତ ୮ଟି ୟୁଟ୍ୟୁବ୍ ଚାନେଲ୍‌କୁ ବ୍ଲକ୍ କରିଥିଲା । ଏହା ମଧ୍ୟରୁ ଗୋଟିଏ ପାକିସ୍ତାନରୁ ଅପରେଟ୍ କରାଯାଉଥିଲା । ଭାରତ ବିରୋଧରେ ଘୃଣାଭାବ ପ୍ରଚାରିତ କରୁଥିବା ୧୦୦ରୁ ଊର୍ଦ୍ଧ୍ୱ ୟୁଟ୍ୟୁବ୍ ଚାନେଲ୍‌, ୪ ଫେସ୍‌ବୁକ୍ ପେଜ୍‌, ୫ ଟ୍ୱିଟର୍ ଆକାଉଣ୍ଟ୍ ଏବଂ ୩ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌କୁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ବ୍ଲକ୍ କରିସାରଲେଣି ।

Comments are closed, but trackbacks and pingbacks are open.