ଇ-ଲିଫ୍ଟ,ଇଆର୍‌ପି ସହ ଚାଷୀଙ୍କ ପାଇଁ ଟୋଲ୍ ଫ୍ରି ନମ୍ବର ଶୁଭାରମ୍ଭ: ୫ ବର୍ଷରେ ଖୋଳାଯିବ ୫ ଲକ୍ଷ ଗଭୀର ନଳକୂପ

43

ଭୁବନେଶ୍ୱର: ପଚାଶ ବର୍ଷ ଭିତରେ ଓଡ଼ିିଶା ଉଠା ଜଳସେଚନ ନିଗମ ବା ଓଏଲ୍‌ଆଇସି ରାଜ୍ୟରେ ୧୩.୫ ଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମିକୁ ଜଳସେଚିତ କରିଛି । ଆକଳନ ଅନୁସାରେ ତାହା ମୋଟ୍ ଜଳସେଚିତ ଜମିର ୩୦ ପ୍ରତିଶତ । ଆଗାମୀ ୫ ବର୍ଷରେ ୫ ଲକ୍ଷ ଗଭୀର ନଳକୂପ ଖୋଳିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିଯୋଗୁଁ ଚାଷୀଙ୍କ ମୁହଁରେ ହସ ଫୁଟିଉଠିବା ସହ ନିଜ ଜୀବନରେ ତାହା ଅପରିହାର୍ଯ୍ୟ ଅଙ୍ଗ ହୋଇଛି । ଭବିଷ୍ୟତରେ ବି ୫-ଟି ଉପକ୍ରମ ଅନୁସରଣରେ କାର୍ଯ୍ୟ କରି ଏହି ଧାରା ଜାରି ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ଦିଗଦର୍ଶନ ଦେଇଛନ୍ତି ।
ଶନିବାର ଲୋକସେବା ଭବନରେ ଆୟୋଜିତ ଉଠା ଜଳସେଚନ ନିଗମର ୫୦ ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ‘ଇ-ଲିଫ୍ଟ ଏବଂ ଇଆରପି’ ସହ ଚାଷୀଙ୍କ ପାଇଁ ଏକ ଟୋଲ୍ ଫ୍ରି ନମ୍ବର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ,୧ ଅକ୍ଟୋବର ୧୯୭୩ରେ ଓଏଲ୍‌ଆଇସି ଜନ୍ମ ନେଇଥିଲା । ଏହାରି ଭିତରେ ପଚାଶ ବର୍ଷ ଅତିିକ୍ରମ କରିଯାଇଛି । ଚାଷ ଓ ଚାଷୀଙ୍କ ପାଇଁ ଉତ୍ସର୍ଗୀକୃତ ଏହି ସଂସ୍ଥା ଅନେକ ଭଲ କାମ କରିଛି । ଓଏଲ୍‌ଆଇସି ରାଜ୍ୟରେ କେବଳ ୧୩.୫ ଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମିକୁ ଜଳସେଚିତ କରିନାହିଁ ବିଭିନ୍ନ ସ୍ଥାନରେ ୧ ଲକ୍ଷ ନୂଆ ଗଭୀର ନଳକୂପ ବି ଖୋଳିଛି । ଏବେ ସ୍ଥିତିର ପରିବର୍ତ୍ତନ ଘଟିଛି । ଫସଲର ବିବିଧକରଣ, ଉନ୍ନତ ଜଳ ଯୋଗାଣ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଚାଷର ପଦ୍ଧତିକୁ ପରିବର୍ତ୍ତନ କରୁଛି । ଜଟିଳ ଜଳ ଉପାଦାନ ଯୋଗାଇବାରେ ନିଗମର ଭୂମିକାକୁ ଅତ୍ୟନ୍ତ ପପ୍ରଶଂସାହଃ । ତେଣୁ ଉଠା ଜଳସେଚନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ୫-ଟି ନୀତି ଅନୁସରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଦେଶରେ ଖାଦ୍ୟ ଶସ୍ୟର ଆଉ ଅଭାବ ନାହିଁ । ଅଭାବୀ ରାଜ୍ୟରୁ ଓଡ଼ିଶା ଏବେ ଖାଦ୍ୟ ବଳକା ରାଜ୍ୟ । ଖାଦ୍ୟ ଶସ୍ୟର ତୃତୀୟ ବୃହତ୍ତମ ଯୋଗାଣକାରୀ ରାଜ୍ୟରେ ବି ପରିଣତ ହୋଇଛି । ସେଥିପାଇଁ ଓଡ଼ିଶା ଏକାଧିକ ଥର ଓଡ଼ିଶା କୃଷି କର୍ମଣ ପୁରସ୍କାର ପାଇଛି ।
ସମାରୋହରେ ଉଦ୍‌ବୋଧନ ଦେଇ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ କୃଷି ଓ କୃଷକଙ୍କ ଉନ୍ନତି ସାଧିତ ହୋଇଛି । ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଜଳସେଚନ ସୁବିଧା ଯୋଗାଇବାରେ ଓଏଲ୍‌ଆଇସି ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ କୃଷକଙ୍କ ଆୟ ବୃଦ୍ଧିରେ ମହତ୍ ଓଏଲ୍‌ଆଇସିର ପୂର୍ଣ୍ଣ ଭୂମିକା ରହିଛି । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହି ସଂସ୍ଥା ଜରିଆରେ ଏକ ଲକ୍ଷ ନଳକୂପ ପ୍ରତିଷ୍ଠା କରିବାର ଯୋଜନା ରହିଛି । ତାହା ଧାର୍ଯ୍ୟ ସମୟ ଭିତରେ କରିବା ଦରକାର । ସେହିପରି ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇ କହିଥିଲେ, ଓଡ଼ିଶା ଉଠା ଜଳସେଚନ ନଗମର ସଫଳତା ପଥ ବେଶ୍ ଲମ୍ବା । ଫସଲ ବିବିଧତା ପାଇଁ କୃଷକଙ୍କୁ ସାହାଯ୍ୟ କରିବାରେ ଏହି ଓଡ଼ିଶା ଉଠା ଜଳସେଚନର ମହତ୍ ଭୂମିକା ରହିଛି । ଶେଷରେ ଓଡ଼ିଶା ଉଠା ଜଳସେଚନ ନିଗମର ପରିଚଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed, but trackbacks and pingbacks are open.