ସରକାରୀ ପାଣ୍ଠି ହେରଫେର ଅଭିଯୋଗରେ PACS ଚିନ୍ତାମଣି ମଲ୍ଲିକ ଗିରଫ

24

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଆଜି ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ‘ଯୁବ ପ୍ରାଥମିକ କୃଷି ସମବାୟ ସମିତି’ (PACS) ଲିମିଟେଡର ପୂର୍ବତନ ସେକ୍ରେଟାରୀ ଚିନ୍ତାମଣି ମଲ୍ଲିକଙ୍କୁ ଆର୍ଥିକ ଅନିୟମିତତା ବିରୁଦ୍ଧରେ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ୧୪.୨୨ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ହେରଫେର ଅଭିଯୋଗ ରହିଛି। ସରକାରୀ ପାଣ୍ଠି ହେରଫେର ଅଭିଯୋଗର ତଦନ୍ତ ଜଣାପଡିଲା ଯେ, ସେ ସରକାରୀ ଓ ସମିତି ପାଣ୍ଠିରୁ ମୋଟ ୧୪,୨୨,୦୪୬ ଟଙ୍କାର ଆର୍ଥିକ ଜାଲିଆତି କରିଛନ୍ତି। ଭିଜିଲାନ୍ସ ସୂଚନା ଅନୁସାରେ, ଏହି ଆର୍ଥିକ ଅନିୟମିତତା ଗୁଡ଼ିକ ୨୦୧୬-୧୭, ୨୦୨୦-୨୧, ୨୦୨୧-୨୨ ଏବଂ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ କରାଯାଇଥିଲା। ତଦନ୍ତ ସମୟରେ ଧରାପଡ଼ିଥିବା ଅନିୟମିତତାଗୁଡ଼ିକ ମଧ୍ୟରେ ବିହନ ବିକ୍ରି ଲବ୍ଧ ଅର୍ଥର ହିସାବ ନ ରଖିବା, ସରକାରୀ ହିସାବ ଖାତାରେ ବିହନ ବିକ୍ରି ଟଙ୍କା ଉଲ୍ଲେଖ ନ କରିବା, ‘ଡେ-ବୁକ୍’ (ଦୈନନ୍ଦିନ ହିସାବ ଖାତା)ରେ ଜାଣିଶୁଣି କମ୍ ‘କ୍ଲୋଜିଂ ବାଲାନ୍ସ’ ଦର୍ଶାଇବା, ଅର୍ଥ ଅଭାବକୁ ଲୁଚାଇବା ପାଇଁ ନକଲି ବ୍ୟାଙ୍କ ଜମା ଦର୍ଶାଇବା ଏବଂ ସଞ୍ଚୟ ଖାତାରୁ ଅତ୍ୟଧିକ ଟଙ୍କା ଉଠାଇବା ଆଦି ରହିଛି। ଏହି ଘଟଣାରେ ଓଡ଼ିଶା ଭିଜିଲାନ୍ସ ଅଭିଯୁକ୍ତଙ୍କ ବିରୁଦ୍ଧରେ ‘ଦୁର୍ନୀତି ନିବାରଣ ଆଇନ’ ଅଧୀନରେ ଏକ ମାମଲା ରୁଜୁ କରିଛି। ଗିରଫ ହେବା ପରେ ତାଙ୍କୁ ବଲାଙ୍ଗୀର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯାଇଛି।

Comments are closed, but trackbacks and pingbacks are open.