ଦୁର୍ଗମ ଅଞ୍ଚଳରେ ଡହଳବିକଳ ଆଦିବାସୀ, କାଗଜପତ୍ରରେ ଚାଲିଛି ସରକାରୀ ଯୋଜନା

27

ଭୁବନେଶ୍ୱର: କୋଟି କୋଟି ଟଙ୍କାର ସରକାରୀ ଯୋଜନା ଓ କଲ୍ୟାଣକାରୀ କାର୍ଯ୍ୟକ୍ରମ ସତ୍ତ୍ୱେ ରାଜ୍ୟର ସ୍ୱତନ୍ତ୍ର ବିକାଶକ୍ଷମ ଜନଜାତି (ପିଭିଟିଜି ବା PVTG) ଗୋଷ୍ଠୀର ୫୩ ପ୍ରତିଶତରୁ ଅଧିକ ମହିଳା ଏବେ ରକ୍ତହୀନତା (ଆନେମିଆ)ର ଶିକାର ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ସେଣ୍ଟର ଅଫ୍ ଏକ୍ସଲେନ୍ସ ଆଣ୍ଡ ଷ୍ଟଡିଜ୍ ଅନ୍ ଟ୍ରାଇବାଲ ଆଣ୍ଡ ମାର୍ଜିନାଲାଇଜଡ୍ କମ୍ୟୁନିଟିଜ୍ ପକ୍ଷରୁ ୨,୦୪୧ଟି ଆଦିବାସୀ ପରିବାରର ୯,୨୨୨ ଜଣଙ୍କ ଉପରେ ଏହି ବିସ୍ତୃତ ଅଧ୍ୟୟନ କରାଯାଇଥିଲା। ରିପୋର୍ଟ ମୁତାବକ, କେବଳ ମହିଳା ନୁହନ୍ତି, ବରଂ ଏହି ସମ୍ପ୍ରଦାୟର ପ୍ରାୟ ୩୭ ପ୍ରତିଶତ ପୁରୁଷ ମଧ୍ୟ ରକ୍ତହୀନତାର ସମ୍ମୁଖୀନ ହେଉଛନ୍ତି। ମାଙ୍କିଡିଆ ଏବଂ ବଣ୍ଡା ଜନଜାତିର ପୁରୁଷଙ୍କ କ୍ଷେତ୍ରରେ ଏହି ହାର ଯଥାକ୍ରମେ ୫୯.୧୮% ଓ ୫୬.୩୦% ରହିଛି, ଯାହାକି ସାଧାରଣ ହାରଠାରୁ ଯଥେଷ୍ଟ ଅଧିକ ଏବଂ ଅତ୍ୟନ୍ତ ଉଦ୍‌ବେଗଜନକ ଅଟେ। ସେହିପରି ଲୋଧା (୪୭.୩୨%) ଏବଂ ଲାଞ୍ଜିଆ ସଉରା (୩୯.୨୬%) ସମ୍ପ୍ରଦାୟ ମଧ୍ୟ ରକ୍ତହୀନତାର ଶିକାର ହେଉଛନ୍ତି। ଆଦିବାସୀ କିଶୋର-କିଶୋରୀମାନଙ୍କ କ୍ଷେତ୍ରରେ ପୁଷ୍ଟିହୀନତା ମଧ୍ୟ ଦେଖିବାକୁ ମିଳିଛି । ୫୦.୭୪% ଆଦିବାସୀ କିଶୋରୀ ‘ଷ୍ଟଣ୍ଟିଂ’ (ଶାରୀରିକ ଅଭିବୃଦ୍ଧି ବାଧାପ୍ରାପ୍ତ) ସମସ୍ୟାର ଶିକାର ହୋଇଛନ୍ତି। ଦୈନନ୍ଦିନ ଖାଦ୍ୟ ଅଭାବରୁ ୩୦.୮୮% କିଶୋର ପୁଷ୍ଟିହୀନତାର ସମ୍ମୁଖୀନ ହେଉଛନ୍ତି। ପୁଷ୍ଟିକର ଆହାର ଅଭାବ ନୁହେଁ, ସ୍ୱାସ୍ଥ୍ୟସେବାର ଅଭାବ ମଧ୍ୟ ରହିଛି ଏଠାରେ | ଗୋଟିଏ ପ୍ରକାର ଯୋଜନା ପରିବର୍ତ୍ତେ ରାଜ୍ୟ ସରକାର ସ୍ୱତନ୍ତ୍ର ତଥା ନିର୍ଦ୍ଦିଷ୍ଟ ପୁଷ୍ଟିକର ଆହାର ଓ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ନିହାତି ଜରୁରୀ |

Comments are closed, but trackbacks and pingbacks are open.