ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର

26

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲାରେ ପୁଲିସକୁ ମିଳିଛି ବଡ଼ ସଫଳତା। ନନ୍ଦିପଦା ଥାନା ଅନ୍ତର୍ଗତ ଛେନାପଦୀ-ଅସିଆ ଗାଁ ନିକଟରେ ପୁଲିସ ଏବଂ ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନ ମଧ୍ୟରେ ଗୁଳି ବିନିମୟ ଘଟିଛି। ପୁଲିସର ପାଲଟା ଗୁଳିଚାଳନାରେ ଅର୍ଜୁନର ଡାହାଣ ଗୋଡ଼ରେ ଗୁଳି ବାଜିବା ଫଳରେ ସେ ଗୁରୁତର ଆହତ ହୋଇଛି। ତାକୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଅର୍ଜୁନ ପ୍ରଧାନ ନାମରେ ଓଡ଼ିଶା ସମେତ ବିହାର ଓ ଝାଡ଼ଖଣ୍ଡର ବିଭିନ୍ନ ଥାନାରେ ୨୦ରୁ ଉର୍ଦ୍ଧ୍ୱ ସଙ୍ଗୀନ ଅପରାଧିକ ମାମଲା ରହିଛି। ଅସିଆ ଗାଁ ନିକଟରେ ଅର୍ଜୁନ ଥିବା ଖବର ପାଇ ପୁଲିସ ତାକୁ କାବୁ କରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ଅର୍ଜୁନ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲା, ଯାହାର ଜବାବରେ ପୁଲିସ ପାଲଟା ଗୁଳିଚାଳନା କରିଥିଲା। ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୭ ତାରିଖରେ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ବନ୍ତଳା ଗାଁରେ ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟ୍ କରାଯାଇଥିଲା। ଏହି ଚର୍ଚ୍ଚିତ ଘଟଣାରେ ଅର୍ଜୁନ ପ୍ରଧାନ ମୁଖ୍ୟ ଅଭିଯୁକ୍ତ ଥିଲା। ଏହି ଲୁଟ୍ ମାମଲା ପରଠାରୁ ପୁଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଓ ତନାଘନା ଜାରି ରଖିଥିଲା।

Comments are closed, but trackbacks and pingbacks are open.