ଆୟୁଷ୍ମାନ ଯୋଜନାରେ ଅନିୟମିତତା ଅଭିଯୋଗର ତଦନ୍ତ ପରେ କିମ୍ସ ଓ ମଣିପାଲ ହସ୍ପିଟାଲକୁ ନୋଟିସ୍

31

ଭୁବନେଶ୍ୱର: ରାଜ୍ୟରେ ସରକାରୀ ସ୍ୱାସ୍ଥ୍ୟ ବୀମା ଯୋଜନାରେ କିଛି ଘରୋଇ ହସ୍ପିଟାଲର ମନଇଚ୍ଛା କାରବାର ଓ ରୋଗୀଙ୍କୁ ଲୁଟ୍ ଘଟଣାରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମଙ୍ଗଳବାର ଭୁବନେଶ୍ୱରର ଦୁଇ ପ୍ରମୁଖ ଘରୋଇ ହସ୍ପିଟାଲ କିମସ୍ ଓ ମଣିପାଲକୁ ରାଜ୍ୟ ସରକାର କାରଣଦର୍ଶାଅ ନୋଟିସ୍ ଜାରି କରିବା ପରେ ଆଜି ସମସ୍ତ ଘରୋଇ ହସ୍ପିଟାଲକୁ କଡ଼ା ଚେତାବନୀ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ରୋଗୀଙ୍କୁ ଶୋଷଣ, ହଇରାଣ କିମ୍ବା ସେମାନଙ୍କ ସହ ଦୁର୍ବ୍ୟବହାରକୁ ସରକାର କୌଣସି ପରିସ୍ଥିତିରେ ବି ବରଦାସ୍ତ କରିବେ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ ଚେତାଇ ଦେଇଛନ୍ତି।ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସରକାରୀ ସ୍ୱାସ୍ଥ୍ୟବୀମା ଯୋଜନା ଅଧୀନରେ ଘରୋଇ ହସ୍ପିଟାଲଗୁଡ଼ିକରୁ ଯେଉଁସବୁ ମାଗଣା ଚିକିତ୍ସା ସୁବିଧା ମିଳିବା କଥା, ରୋଗୀମାନେ ତାହା ପାଉନଥିବା ନେଇ ବାରମ୍ବାର ଗୁରୁତର ଅଭିଯୋଗ ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଅଚାନକ ବିଭିନ୍ନ ହସ୍ପିଟାଲରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଯାଂଚବେଳେ କିମସ୍ ଓ ମଣିପାଲ ହସ୍ପିଟାଲରେ ରୋଗୀଙ୍କୁ ହଇରାଣ କରିବା, ନିୟମ ଉଲ୍ଲଂଘନ କରି ବେଆଇନ ଭାବେ ଅଧିକ ଟଙ୍କା ଆଦାୟ କରିବା ସହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସଙ୍ଗେ ଦୁର୍ବ୍ୟବହାର କରୁଥିବାର ସ୍ପଷ୍ଟ ପ୍ରମାଣ ମିଳିଥିଲା। ଆୟୁଷ୍ମାନ ଭାରତ- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ବ୍ୟାପକ ହେରଫେର ସାମ୍ନାକୁ ଆସିବା ପରେ କିମସ୍ ଓ ମଣିପାଲ ହସ୍ପିଟାଲକୁ ଗତକାଲି ନୋଟିସ ଜାରି କରାଯାଇଛି। ସେମାନଙ୍କ ବିରୁଦ୍ଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସ୍ପଷ୍ଟ କରିଛନ୍ତି।
ସୂଚନା ଅନୁଯାୟୀ କିମ୍ସ ହସ୍ପିଟାଲକୁ ଜାରି ହୋଇଥିବା କାରଣଦର୍ଶାଅ ନୋଟିସରେ ୮ଟି ଗୁରୁତର ଅନିୟମିତତା ବିଷୟରେ ଦର୍ଶାଯାଇଛି। ସେଥିମଧ୍ୟରେ ରୋଗୀ ଡିସଚାର୍ଜ ହେବା ପରେ ପ୍ରି-ଅଥରାଇଜେସନ୍ ପ୍ରକ୍ରିୟା କରିବା, ଅଧିକ ବିଲ୍ ପାଇଁ ରୋଗ ଅପେକ୍ଷା ବଡ଼ ପ୍ୟାକେଜ୍ ବାଛିବା ବା ‘ଅପ-କୋଡିଂ’ କରିବା, ଘରୋଇ ହସ୍ପିଟାଲ ପାଇଁ ଅନୁମୋଦିତ ନ ଥିବା ପ୍ୟାକେଜ୍ ହାତେଇବାକୁ କ୍ଲିନିକାଲ ରେକର୍ଡ ଓ ଇନଡୋର କେସ୍ ପେପରରେ ଜାଲିଆତି କରିବା ଭଳି ସାଂଘାତିକ ଅଭିଯୋଗ ରହିଛି। ଏହାବ୍ୟତୀତ ସାଧାରଣ ଓପିଡି ରୋଗୀଙ୍କୁ ଅଯଥାରେ ଆଇପିଡିରେ ଭର୍ତ୍ତି କରାଇବା, କ୍ୟାସଲେସ ବ୍ୟବସ୍ଥା ଥାଇ ବି ଔଷଧ ଓ ପରୀକ୍ଷା ପାଇଁ ବାହାରୁ ବେଆଇନ ଟଙ୍କା ଆଦାୟ କରିବା, ଗୋଟିଏ ଦିନ ଏଚଡିୟୁରେ ରହିଥିବା ରୋଗୀଙ୍କ ନାମରେ ୬ ଦିନର ବିଲ୍ ବଢ଼ାଇବା, ୨୮ଜଣ ରୋଗୀଙ୍କ ପାଇଁ ଆଇସିୟୁରେ ଜଣେ ବି ବିଶେଷଜ୍ଞ ଡାକ୍ତର ନରଖି ଜୁନିଅରଙ୍କ ଦ୍ୱାରା ଚଳାଇବା, ଆଇସିୟୁ ଆଡମିଶନ ରେକର୍ଡରେ ଅସଙ୍ଗତି ଓ ହସ୍ପିଟାଲର ହେଲପଡେସ୍କର ଅବ୍ୟବସ୍ଥା ଭଳି ପ୍ରମୁଖ ତ୍ରୁଟି ଯାଂଚବେଳେ ଧରାପଡ଼ିଥିଲା।

Comments are closed, but trackbacks and pingbacks are open.