କୌଣସି କାମ ଛୋଟ କିମ୍ବା ବଡ଼ ନୁହେଁ, ଯୁବଶକ୍ତିଙ୍କ ଦ୍ୱାରା ହିଁ ଭାରତ ଦୁନିଆର ୧ ନମ୍ବର ଦେଶ ହେବ-ଧର୍ମେନ୍ଦ୍ର ପ୍ରଧାନ

405

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୦୯ –  କୌଣସି କାମ ଛୋଟ କିମ୍ବା ବଡ ନୁହେଁ, ଯୁବଶକ୍ତିଙ୍କ କାନ୍ଧରେ ହିଁ ଭାରତ ଦୁନିଆର ୧ ନମ୍ବର ଦେଶ ହେବ ବୋଲି ରବିବାର ନୂଆଦିଲ୍ଲୀ ଠାରେ ସଂକଳ୍ପ ପରିବାର ଦ୍ୱାରା ଆୟୋଜିତ ଗୁରୁ ସମ୍ମାନ ଏବଂ ଅଂଶଗ୍ରହଣକାରୀ ଅଭିନନ୍ଦନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ସମାରୋହରେ ଉପସ୍ଥିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା-୨୦୨୨ରେ ସଫଳତା ପାଇଥିବା ଯୁବସାଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଗାମୀ ୨୫ ବର୍ଷ ଆମ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆପଣ ମାନଙ୍କ ହାତରେ ଏହି ଗୁରୁ ଦାୟିତ୍ୱ ରହିଛି ।

ପ୍ରଶାସକ ହେବାକୁ ଥିବା ଯୁବବନ୍ଧୁମାନେ ନୂଆପିଢିର ପ୍ରେରଣାର ସ୍ରୋତ । ଯେଉଁମାନେ ପ୍ରଶାସନିକ କ୍ଷେତ୍ରରେ ଯୋଗ ଦେଉଛନ୍ତି ସେମାନେ କାର୍ଯ୍ୟକ୍ଷେତ୍ରରେ ମୂଳ ବିଷୟ ସହ ଯୋଡି ହୁଅନ୍ତୁ ଏବଂ ନିଜ ଏକାଗ୍ରତା ଜାରୀ ରଖିବା ସହ ଆସୁଥିବା ବାଧାବିଘ୍ନକୁ ସାମ୍ନା କରନ୍ତୁ । ସମସ୍ତେ ବୈଶ୍ୱିକ ସମାଧାନର ରାସ୍ତା କରିବା ପାଇଁ ବ୍ରତୀ ରହିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।  କାର୍ଯ୍ୟକ୍ଷେତ୍ରରେ ମାତୃଭାଷାକୁ ସବୁବେଳେ ଗୁରୁତ୍ୱ ଦେବା ପାଇଁ ଉପସ୍ଥିତ ଯୁବଶକ୍ତିଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ମାତୃଭାଷାକୁ ସର୍ବଦା ପ୍ରାଥମିକତା ଦିଆଯାଇଛି । ଶିଶୁ ପାଠପଢାର ପ୍ରାରମ୍ଭିକ ସମୟ ଅର୍ଥାତ୍  ୩ ବର୍ଷରୁ ୮ ବର୍ଷ ମଧ୍ୟରେ ୮୦ପ୍ରତିଶତ ମାନସିକ ବିକାଶ ହୁଏ । ସେହି ସମୟରେ ମାତୃଭାଷାରେ ପିଲାକୁ ପଢାଇବା ଦରକାର । ମାତୃଭାଷାରେ ପଢିଲେ ହିଁ ଶିଶୁର କ୍ରିଟିକାଲ ଥିଙ୍କିଂ ବିକଶିତ ହୁଏ । ନିଜର ଭାବନା ଏବଂ ସ୍ପଷ୍ଟତା ମାତୃଭାଷାରେ ହିଁ ପରିପ୍ରକାଶ ଘଟେ ।ଦେଶ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ଆଗାମୀ ଦିନରେ ଭାରତ ପାଖକୁ ଦୁନିଆ ଆସିବ ।

ଦେଶ ଧୀରେ ଧୀରେ ବୃହତମ ଅର୍ଥନୀତିର ଦେଶ ଆଡକୁ ଗତି କରୁଛି । ଦୁନିଆର ଏମିତି କୌଣସି ଶକ୍ତି ନାହିଁ, ଯାହା ଭାରତକୁ ପଛରେ ରଖିପାରିବ । ପ୍ରଧାନମନ୍ତ୍ରୀ ଆଜିର ସମୟକୁ ଭାରତର ମୁହୂର୍ତ୍ତ ବୋଲି ଅଭିହିତ କରିଛନ୍ତି ବୋଲି ସେ କହିଛନ୍ତି । ଏହି ସମାରୋହରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡା. ବିରେନ୍ଦ୍ର କୁମାର, ତାମିଲନାଡୁର ମହାମହିମ ରାଜ୍ୟପାଳ ଶ୍ରୀ ଆର.ଏନ ରବି ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.