ନୂଆଦିଲ୍ଲୀ: ସ୍କୁଲ ଓ କଲେଜରେ ଶିକ୍ଷକ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଯୋଗ୍ୟତା ନଥିଲେ ସ୍କୁଲ-କଲେଜରେ ଶିକ୍ଷକ ନିଯୁକ୍ତି ନାହିଁ । RTE, NCTE ଓ UGC ନିୟମରେ ଧାର୍ଯ୍ୟ ଯୋଗ୍ୟତା ବାଧ୍ୟତାମୂଳକ । ପ୍ରଚଳିତ ଆଇନ ଅନୁସାରେ ନିର୍ଦ୍ଧାରିତ ଆବଶ୍ୟକ ଯୋଗ୍ୟତା ନଥିଲେ କୌଣସି ଶିକ୍ଷକଙ୍କୁ ସ୍କୁଲ କିମ୍ବା କଲେଜରେ ନିଯୁକ୍ତ କରାଯିବ ନାହିଁ କିମ୍ବା ଚାକିରିରେ ଜାରି ରଖାଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷା ଅଧିକାର ଆଇନ୍, National Council for Teacher Education (NCTE) Act ଏବଂ University Grants Commission (UGC) Act ଅଧୀନରେ ଯେଉଁ ଯୋଗ୍ୟତା ନିର୍ଦ୍ଧାରିତ ହୋଇଛି, ତାହା ପୂରଣ କରିବା ଆବଶ୍ୟକ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଏହି ଅନ୍ତରୀଣ ଆଦେଶ ଆସିଛି । ଏହି PILରେ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀଙ୍କ ପ୍ରୋଭିନସିଆଲାଇଜେସନ ସମ୍ପର୍କିତ ବିଭିନ୍ନ ଆଇନଗତ ବ୍ୟବସ୍ଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଛି । ପ୍ରୋଭିନସିଆଲାଇଜେସନର ଅର୍ଥ ହେଉଛି ବେସରକାରୀ କିମ୍ବା ଅଣସରକାରୀ ଶିକ୍ଷାନୁଷ୍ଠାନର ଯୋଗ୍ୟ ଶିକ୍ଷକ ଓ କର୍ମଚାରୀଙ୍କ ସେବାକୁ ଆଇନ କିମ୍ବା ସରକାରୀ ବ୍ୟବସ୍ଥା ମାଧ୍ୟମରେ ସରକାରୀ ବ୍ୟବସ୍ଥା ଅଧୀନକୁ ଆଣିବା । ଏହି ପ୍ରକ୍ରିୟାରେ ସ୍ୱଚ୍ଛ, ନିରପେକ୍ଷ ଓ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା ବିନା କୌଣସି ଶିକ୍ଷକ କିମ୍ବା କର୍ମଚାରୀଙ୍କୁ ସ୍ଥାୟୀ ସରକାରୀ ସେବାରେ ପ୍ରବେଶ କରାଇବାକୁ ଆଇନ ଅନୁମତି ଦେଇପାରିବ କି ନାହିଁ, PILରେ ତାହା ଉପରେ ପ୍ରଶ୍ନ ଉଠାଯାଇଛି । ଆବେଦନକାରୀଙ୍କ ମତରେ, ସରକାରୀ ଚାକିରି ପାଇଁ ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ମିଳିବା ଦରକାର । କିନ୍ତୁ କୌଣସି ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ପ୍ରତିଯୋଗିତାମୂଳକ ଚୟନ ପ୍ରକ୍ରିୟା ବିନା ସିଧାସଳଖ ସରକାରୀ ସେବାରେ ସାମିଲ କରାଗଲେ ଏହି ନୀତି ପ୍ରଭାବିତ ହୋଇପାରେ । PIL ଉପରେ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଅନ୍ତରୀଣ ବ୍ୟବସ୍ଥା ଭାବେ ଶିକ୍ଷକଙ୍କ ପାଇଁ ପ୍ରଯୁଜ୍ୟ RTE, NCTE କିମ୍ବା UGC ଆଇନ ଅଧୀନରେ ନିର୍ଦ୍ଧାରିତ ଯୋଗ୍ୟତାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ବର୍ତ୍ତମାନର ନିର୍ଦ୍ଦେଶ ଏକ ଅନ୍ତରୀଣ ଆଦେଶ । ତେଣୁ ଏହାକୁ ମାମଲାର ଚୂଡ଼ାନ୍ତ ରାୟ ନୁହଁ ।
Comments are closed, but trackbacks and pingbacks are open.