ଭୁବନେଶ୍ୱର: ସରକାରୀ ଚାକିରୀ କେବଳ ଏକ ଜୀବିକା ନୁହେଁ । ରାଜ୍ୟର ଜନସାଧାରଣଙ୍କ ସେବା କରିବା ପାଇଁ ଏକ ଅନନ୍ୟ ସୁଯୋଗ । କାର୍ଯ୍ୟ ସମ୍ପାଦନରେ ବୈଚାରିକ ମତ ପ୍ରତିବନ୍ଧକ ନ ହେଉ । ସରକାରଙ୍କ ଆଭିମୁଖ୍ୟ ହିସାବରେ କାମ କର । ୧୫ ତମ ନିଯୁକ୍ତି ମେଳାରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହା କହିଛନ୍ତି । ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି ୫ ପରାମର୍ଶ ଦେଇଛନ୍ତି ।କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ୧୫ ତମ ନିଯୁକ୍ତି ମେଳା ଅବସରରେ ୭ଟି ବିଭାଗର ୪୬୨୩ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୪୧୧୩ ଜଣ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ୧୫୪ ଜଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗରେ ୧୪୩ ଜଣ, ଇସ୍ପାତ ଓ ଖଣି ବିଭାଗରେ ୭୭ ଜଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗରେ ୭୦ ଜଣ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୫୨ ଜଣ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗରେ ୧୪ ଜଣ ନିଯୁକ୍ତି ପତ୍ର ପାଇଛନ୍ତି । ବିଜେପି ସରକାରର ୨୨ ମାସରେ ୪୪,୦୮୨ ସରକାରୀ ନିଯୁକ୍ତି ମିଳିଥିବାବେଳେ ବେସରକାରୀ କ୍ଷେତ୍ରରେ ୯୨,୦୦୦ ନିଯୁକ୍ତି ସୃଷ୍ଟି ହୋଇଛି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଶାସନ ଓ ପ୍ରଶାସନ ବ୍ୟବସ୍ଥାରେ ସରକାରୀ ଅଧିକାରୀ ଓ କର୍ମଚାରୀ ହେଉଛନ୍ତି, ସରକାରଙ୍କ ପ୍ରକୃତ ଚେହେରା । ଅନ୍ତିମ ଶ୍ରେଣୀରେ ଥିବା ବ୍ୟକ୍ତି ପାଖରେ ସରକାରୀ ସୁବିଧା ପହଞ୍ଚାଇବା ଆମ ସମସ୍ତଙ୍କର ଲକ୍ଷ୍ୟ । ବର୍ତ୍ତମାନ ସାଧାରଣ ଲୋକ ଅନୁଭବ କରୁଛନ୍ତି, ଏ ସରକାର ହେଉଛି ପ୍ରକୃତରେ ଲୋକଙ୍କ ସରକାର । ଏହି ଭାବନାକୁ ଆଗେଇ ନେଲେ ସରକାରୀ ଚାକିରୀର ମର୍ଯ୍ୟାଦା ରହିବ । ଆପଣମାନେ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବେ । ୨୦୨୪ ଜୁନ ମାସରୁ ଆଜି ସୁଦ୍ଧା ସରକାରୀ ଚାକିରୀରେ ୪୪,୦୮୨ ଓ ବେସରକାରୀ କ୍ଷେତ୍ରରେ ୯୨,୦୦୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଗଲାଣି ।ନବନିଯୁକ୍ତମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥରକ୍ଷା ପାଇଁ ପୂର୍ଣ୍ଣ ଦକ୍ଷତା ଓ କର୍ତ୍ତବ୍ୟବୋଧ, ସମର୍ପଣ ଓ ସ୍ୱଚ୍ଛତାର ସହିତ ଦାୟିତ୍ୱ ନିର୍ବାହ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।ମୁଖ୍ୟମନ୍ତ୍ରୀ ସେମାନଙ୍କୁ କର୍ମକ୍ଷେତ୍ରରେ ପାଳନ କରିବା ପାଇଁ ୫ଟି ପରାମର୍ଶ ଦେଇଛନ୍ତି । ୧- ଦୁର୍ନୀତିରୁ ସବୁବେଳେ ଦୂରେଇ ରୁହନ୍ତୁ । ଦୁର୍ନୀତି ବିରୁଦ୍ଧରେ ସରକାର ଶୂନ୍ୟସହନଶୀଳତା ଅବଲମ୍ୱନ କରୁଛନ୍ତି । ୨- ଗଣତନ୍ତ୍ରରେ ଜନତା ହେଉଛନ୍ତି ଭଗବାନ । ଜନତାଙ୍କ ସ୍ୱର ହିଁ ଭଗବାନଙ୍କ ସ୍ୱର । ତେଣୁ ସହୃଦୟତାର ସହିତ ନିଜ ନିଜ ସ୍ତରରେ ଜନତାଙ୍କ କଥା ଶୁଣିବେ । ତା’ର ସମାଧାନ କରିବାକୁ ଚେଷ୍ଟା କରିବେ । ୩-କାର୍ଯ୍ୟ ସମ୍ପାଦନ କରିବା ସମୟରେ ନିଜର ବୈଚାରିକ ମତ ପ୍ରତିବନ୍ଧକ ହେବା ଉଚିତ ନୁହେଁ । ସରକାରଙ୍କ ଆଭିମୁଖ୍ୟ ହିସାବରେ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ । ୪- ସମୟାନୁବର୍ତ୍ତିତା – ନିର୍ଦ୍ଦିଷ୍ଟ ସମୟ ଭିତରେ କାର୍ଯ୍ୟ ସମ୍ପାଦନ କରିବେ । ୫- କାର୍ଯ୍ୟ କ୍ଷେତ୍ରରେ ଭଦ୍ର ଓ ଶାଳୀନତା ସହିତ ବାର୍ତ୍ତାଳାପ ଓ ବ୍ୟବହାର ପ୍ରଦର୍ଶନ କରିବେ । ନଚେତ ନିଜେ ବଦନାମ ହେବା ସହିତ ସରକାର ବଦନାମ ହେବାର ଆଶଙ୍କା ରହିଛି ।ମୁଖ୍ୟମନ୍ତ୍ରୀ ନବନିଯୁକ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
Comments are closed, but trackbacks and pingbacks are open.