ସେପ୍ଟେମ୍ବର ୧୭ରେ ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ପରବର୍ତ୍ତୀ ଶୁଣାଣି

40

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ଅନୁଷ୍ଠିତ ହେବ। ଦୀର୍ଘ ଦିନର ଏହି ବିବାଦ ଆସନ୍ତା ଦୀପାବଳି ପୂର୍ବରୁ ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି। ଓଡ଼ିଶା ଓ ଛତିଶଗଡ଼-ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସକରାତ୍ମକ ଆଭିମୁଖ୍ୟ ଯୋଗୁଁ ଆଜି ଏହି ମାମଲା ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିପାରିଛି ବୋଲି ଆଡଭୋକେଟ୍ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶକ୍ରମେ ସେଣ୍ଟ୍ରାଲ ୱାଟର କମିଶନ (CWC) ପକ୍ଷରୁ ଗଠିତ ଉଚ୍ଚସ୍ତରୀୟ ବୈଷୟିକ କମିଟିର ବୈଠକ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇସାରିଛି। ଏହି କମିଟିରେ ଦୁଇ ରାଜ୍ୟର ବରିଷ୍ଠ ଇଞ୍ଜିନିୟର ଏବଂ CWCର ସଦସ୍ୟମାନେ ସାମିଲ ଅଛନ୍ତି। ସେମାନେ ଜଳ ବଣ୍ଟନର ବିଭିନ୍ନ ବୈଷୟିକ ଦିଗକୁ ଅନୁଧ୍ୟାନ କରି ସମାଧାନର ସୂତ୍ର ବାହାର କରିବେ। ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଏହି ବହୁଚର୍ଚ୍ଚିତ ଜଳ ବିବାଦର ସ୍ଥାୟୀ ସମାଧାନ କରାଯିବ ବୋଲି ଶ୍ରୀ ଆଚାର୍ଯ୍ୟ ଆଶାପ୍ରକାଶ କରିଛନ୍ତି।

Comments are closed, but trackbacks and pingbacks are open.