SC/ST ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ନିୟମ:ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆଡମିଶନ ବେଳେ ଦେବାକୁ ପଡ଼ିବନି ଫି

23

ଭୁବନେଶ୍ୱର: ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଲା ନୂଆ ନିୟମ । ଏବେ ଆଉ ସରକାରୀ ମେଡିକାଲ ଓ ଇଞ୍ଜିନିଅରିଂ କଲେଜରେ ଆଡମିଶନ ବେଳେ ଟିଉସନ୍ ଓ ଅନ୍ୟାନ୍ୟ ଫି ଡିପୋଜିଟ୍‌ କରିବାକୁ ପଡ଼ିବ ନାହିଁ । ସ୍କଲାରସିପ୍ ଟଙ୍କା ପାଇଲା ପରେ ହିଁ ଆଡ୍‌ମିଶନ୍ ଓ ଟିଉସନ୍ ଫି ଦେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଖୁବ୍ ଶୀଘ୍ର ମାର୍ଗଦର୍ଶୀକା ଜାରି ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରୀ ମେଡିକାଲ ଓ ଇଞ୍ଜିନିଅରିଂ କଲେଜରେ ଆଡମିଶନ୍ ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମେଧାବୀ ଗରିବ ଛାତ୍ରଛାତ୍ରୀମାନେ ଅନେକ ସମୟରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହିଭଳି ଭଳି ଅନେକ ସୂଚନା ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି । ଏହି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଡମିଶନ୍ ସମୟରେ ଏବଂ ଆଡମିଶନ୍‌ର ୬ ମାସ ପର୍ଯ୍ୟନ୍ତ କୌଣସି ଫି ଜମା କରିବାକୁ ପଡ଼ିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଛି । ଏହି ବର୍ଗର ଛାତ୍ରଛାତ୍ରୀମାନେ ସାଧାରଣତଃ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ବିଭିନ୍ନ ବୃତ୍ତି ପାଇଥାନ୍ତି । ତେବେ ଏହି ବୃତ୍ତି ଅର୍ଥ ପାଇବାର ପ୍ରକ୍ରିୟା ଶେଷ ହୋଇ ଟଙ୍କା ପାଇବା ବେଳକୁ ୩-୪ ମାସ ଲାଗିଥାଏ । ତେଣୁ ବର୍ତ୍ତମାନ ଏହି ଛାତ୍ରଛାତ୍ରୀମାନେ ସେମାନଙ୍କ ବୃତ୍ତି ଟଙ୍କା ପାଇବା ପରେ ସୁବିଧାରେ ସେମାନଙ୍କ ଆଡମିଶନ ଓ ଟ୍ୟୁସନ ଫି ଜମା କରିପାରିବେ ।

Comments are closed, but trackbacks and pingbacks are open.