ଭୁବନେଶ୍ୱର: NEET (UG) ୨୦୨୬ ପୁନଃ ପରୀକ୍ଷା ଆସନ୍ତା ଜୁନ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଓଡ଼ିଶାର ୨୭ଟି ସହରର ୧୩୨ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ମୋଟ ୫୬,୯୮୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ । ପରୀକ୍ଷାକୁ ସ୍ୱଚ୍ଛ, ସୁରକ୍ଷିତ ବ୍ୟବସ୍ଥା ଏବଂ ସୁଚାରୁ ପରିଚାଳନା ନିମନ୍ତେ ଅନୁଷ୍ଠିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମସ୍ତ ଜିଲ୍ଲାପାଳମାନଙ୍କ ସହ ଏକ ଭିସି ଜରିଆରେ ଅନୁଷ୍ଠିତ ବୈଠକରେ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । NEET ପରୀକ୍ଷା ଜୁନ ୨୧ ତାରିଖ ଅପରାହ୍ନ ୨ଟାରୁ ୫.୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । NEET ଏକ ଜାତୀୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହୋଇଥିବାରୁ ଏହାର ସଫଳ ଆୟୋଜନ ପାଇଁ ବୈଠକରେ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲା ପ୍ରଶାସନକୁ ସର୍ବୋଚ୍ଚ ପ୍ରାଥମିକତା ଭିତ୍ତିରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସିଏସ ନିର୍ଦ୍ଦେଶ ଦେଇଛନ୍ତି । ସୁରକ୍ଷା ବ୍ୟବସ୍ଥା, ପରୀକ୍ଷା ସାମଗ୍ରୀର ନିରାପଦ ପରିବହନ, ପରୀକ୍ଷା କେନ୍ଦ୍ରଗୁଡ଼ିକର ପ୍ରସ୍ତୁତି ଏବଂ ଆବଶ୍ୟକ ସମନ୍ୱୟ ଉପରେ ମୁଖ୍ୟ ଶାସନ ସଚିବ ବିଶେଷ ଗୁରୁତ୍ୱାରୋପ କରିଛନ୍ତି । ପ୍ରତ୍ୟେକ କେନ୍ଦ୍ରରେ ମାଜିଷ୍ଟ୍ରେଟ, ଆବଶ୍ୟକ ଯଥେଷ୍ଟ ସଂଖ୍ୟକ ପୋଲିସ କର୍ମଚାରୀ ଓ ସହାୟକ କର୍ମଚାରୀ ନିୟୋଜନ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ସମ୍ବନ୍ଧୀୟ କୌଣସି ଗୁଜବ, ଭ୍ରାନ୍ତ ସୂଚନା କିମ୍ବା ଅସତ୍ୟ ଉପାୟ ରୋକିବା ପାଇଁ ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖିବା ସହ ସନ୍ଦେହଜନକ କାର୍ଯ୍ୟକଳାପ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ପରାମର୍ଶ ଦିଆଯାଇଛି । ପରୀକ୍ଷା ସମୟରେ ଟ୍ରାଫିକ ପରିଚାଳନା, ମହିଳା ପରୀକ୍ଷାର୍ଥୀ ଏବଂ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା, ସିସିଟିଭି ଓ ପରୀକ୍ଷା କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ସମୀକ୍ଷା ଓ ସମନ୍ୱୟ ବୈଠକ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ବୈଠକରେ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରଓ୍ୱାଲ ଯୋଗ ଦେଇ NEET ପରୀକ୍ଷା ଆୟୋଜନ ନେଇ ଆଲୋଚନା କରିଛନ୍ତି । ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.