ଭୁବନେଶ୍ବର: ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ଜଣେ ମହିଳା ଓ ତାଙ୍କ ଝିଅଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ବିଳମ୍ବିତ ରାତିରେ ଦଣ୍ଡନାଚ ଦେଖି ଫେରୁଥିବା ବେଳେ ମଧୁପୁର ଗାଁ ନିକଟରେ ହାତୀ ସାମ୍ନାକୁ ଆସିଯାଇଥିଲା। ଏହି ଆକ୍ରମଣରେ ମାଆ-ଝିଅଙ୍କ ଜୀବନ ଚାଲିଯାଇଥିବା ବେଳେ ବାପା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ବନ୍ତଳା ରେଞ୍ଜ ପୋକତୁଙ୍ଗା ଭୋକିଲାପାଳ ଗ୍ରାମର ଏକ ପରିବାର ଗୁରୁବାର ରାତିରେ ମଧୁପୁର ଗାଁକୁ ଦଣ୍ଡନାଚ ଦେଖିବାକୁ ଯାଇଥିଲେ। ରାତି ପ୍ରାୟ ୨ଟା ବେଳେ ବାପା, ମାଆ ଓ ଝିଅ ନାଚ ଦେଖି ଘରକୁ ଫେରୁଥିଲେ। ମଧୁପୁର ନିକଟସ୍ଥ ଏକ ଆମ୍ବ ବଗିଚା ଦେଇ ଆସୁଥିବା ବେଳେ ହଠାତ୍ ଏକ ହାତୀ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲା। ବାପା କୌଶଳକ୍ରମେ ଦୌଡ଼ି ପଳାଇ ବର୍ତ୍ତି ଯାଇଥିବା ବେଳେ ମାଆ ଓ ଝିଅ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ଦୁହିଁଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସହ ଭୟ ଓ ଉତ୍ତେଜନା ପ୍ରକାଶ ପାଇଛି। ବନ୍ତଳା ରେଞ୍ଜର ପ୍ରସନ୍ନ କୁମାର ସାହୁ ଘଟଣାର ସତ୍ୟତା ସ୍ୱୀକାର କରିଛନ୍ତି।
Comments are closed, but trackbacks and pingbacks are open.