‘ମନ୍ କି ବାତ୍’ରେ ସର୍ଜିକାଲ୍ ଷ୍ଟ୍ରାଇକ୍‌ର ୧୦ ବର୍ଷ ପୂର୍ତ୍ତିକୁ ସ୍ମରଣ କଲେ ମୋଦି

8

ନୂଆଦିଲ୍ଲୀ: ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ୨୦୧୬ ମସିହାରେ ପାକିସ୍ତାନ ଭିତରେ କରାଯାଇଥିବା ଐତିହାସିକ ‘ସର୍ଜିକାଲ୍ ଷ୍ଟ୍ରାଇକ୍’ର ଦଶବର୍ଷ ପୂର୍ତ୍ତି ପ୍ରସଙ୍ଗକୁ ସ୍ମରଣ କରିଛନ୍ତି। ଦେଶବାସୀଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ମନ୍ କି ବାତ୍’ ମାଧ୍ୟମରେ ଦେଶର ସକରାତ୍ମକ ପ୍ରୟାସ ଏବଂ ଐତିହାସିକ ଉପଲବ୍ଧିଗୁଡ଼ିକୁ ସାମାଜିକ ପ୍ଲାଟଫର୍ମ ଦିଆଯାଇଥାଏ। ଆସନ୍ତାକାଲି ଭାରତର ଏଭଳି ଏକ ସାହସିକ ଐତିହାସିକ ପଦକ୍ଷେପର ୧୦ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି। ୨୦୧୬ ମସିହା ସେପ୍ଟେମ୍ବର ୨୮-୨୯ ତାରିଖ ମଧ୍ୟରାତ୍ରିର ସାହସିକ ଅଭିଯାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ଦଶ ବର୍ଷ ପୂର୍ବେ ଭାରତୀୟ ସେନା ନିଜର ବାହାଦୁରୀ ପ୍ରଦର୍ଶନ କରି ଏଲ୍‌ଓସି ପାର ହୋଇ ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଏହି ଷ୍ଟ୍ରାଇକ୍ ପୂରା ବିଶ୍ୱରେ ଭାରତର ଆତଙ୍କବାଦ ବିରୋଧୀ ନୀତିର ଏକ ନୂତନ ମାନଦଣ୍ଡ ସ୍ଥାପନ କରିଥିଲା। ପୂର୍ବତନ ଆତଙ୍କବାଦୀ ଆକ୍ରମଣ ଏବଂ ସେ ସମୟର ସରକାରୀ ନୀତିଗୁଡ଼ିକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏକ ସମୟ ଥିଲା ଯେତେବେଳେ ଭାରତରେ ଭୟଙ୍କର ସିରିଏଲ୍ ବ୍ଲାଷ୍ଟ ହେବା ସାଧାରଣ କଥା ପାଲଟିଥିଲା। ୨୦୦୮ ସେପ୍ଟେମ୍ବର ୧୩ରେ ଦିଲ୍ଲୀ ବ୍ଲାଷ୍ଟ ଏବଂ ପରେ ମୁମ୍ବାଇର ୨୬/୧୧ ଆକ୍ରମଣକୁ ଦେଶବାସୀ କେବେବି ଭୁଲି ପାରିବେ ନାହିଁ। ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ପରେ କେବଳ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଉଥିଲା, କିନ୍ତୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉ ନଥିଲା। କିନ୍ତୁ ଆଜିର ଭାରତ ଆତଙ୍କବାଦ ବିରୋଧରେ ‘ଜିରୋ-ଟୋଲରାନ୍ସ’ନୀତି ଆପଣାଇଛି ବୋଲି ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ।

Comments are closed, but trackbacks and pingbacks are open.