ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଝଟକା: ସୋରେନଙ୍କ ବିରୋଧରେ ଆରମ୍ଭ ହେବ ଆଇନଗତ ବିଚାର

42

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆଇନଗତ ଅସୁବିଧା ଆହୁରି ବୃଦ୍ଧି ପାଇଛି। ବଡ଼ଗାଇଁ ଅଞ୍ଚଳରେ ଥିବା ୮.୮୬ ଏକର ଜମି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଅଭିଯୋଗ ନିଶ୍ଚିତ (ଚାର୍ଜଫ୍ରେମ୍) ହୋଇଛି। ରାଞ୍ଚିସ୍ଥିତ ସ୍ୱତନ୍ତ୍ର PMLA (ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ) କୋର୍ଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ହାଜର ହୋଇଥିଲେ। ବିଚାରପତି ତାଙ୍କ ବିରୋଧରେ ଥିବା ଅଭିଯୋଗଗୁଡ଼ିକୁ ପଢ଼ି ଶୁଣାଇବା ପରେ, ସୋରେନ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହି ପ୍ରତ୍ୟାଖ୍ୟାନ କରିଥିଲେ। ତେବେ କୋର୍ଟ ତାଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ନିଶ୍ଚିତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ମାମଲାରେ ପୂର୍ବରୁ ଅନ୍ୟ ୧୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ ସରିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଆନୁଷ୍ଠାନିକ ଭାବେ ବିଚାର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। କୋର୍ଟ ଆଗାମୀ ଶୁଣାଣି ସମୟରେ ସାକ୍ଷୀମାନଙ୍କୁ ଉପସ୍ଥିତ କରାଇବା ପାଇଁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୩୦ ତାରିଖରେ ନିର୍ଦ୍ଧାରିତ ହୋଇଛି।

Comments are closed, but trackbacks and pingbacks are open.