ଭୁବନେଶ୍ୱର: ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଓଡ଼ିଶା ସରକାର ଏକ ବଡ଼ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୫ର ପୁରୁଣା ନିୟମକୁ ସଂଶୋଧନ କରାଯାଇ ‘ଏକ୍ସ-ଗ୍ରାସିଆ ଗ୍ରାଣ୍ଟ ଫଣ୍ଡ’ର ନୂତନ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଏଣିକି ସ୍କୁଲ ଆସିବା-ଯିବା ବେଳେ କିମ୍ବା ସ୍କୁଲ ପରିସରରେ କୌଣସି ଦୁର୍ଘଟଣା ଘଟିଲେ ଛାତ୍ରଛାତ୍ରୀଙ୍କ ପରିବାରକୁ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ। ପୂର୍ବରୁ ଏହି ଯୋଜନା କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସୀମିତ ଥିଲା। ଏବେ ଶିଶୁ ବାଟିକାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ମାଇନିଂ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହାଦ୍ୱାରା ଉପକୃତ ହେବେ। ସଡ଼କ ଦୁର୍ଘଟଣା, ସ୍କୁଲ କୋଠା ଭିତରେ ଅଘଟଣ, ମଧ୍ୟାହ୍ନ ଭୋଜନ ଜନିତ ଅସୁସ୍ଥତା (ଫୁଡ୍ ପଏଜନିଂ) କିମ୍ବା ସ୍କୁଲର କୌଣସି କାର୍ଯ୍ୟକଳାପ ସମୟରେ ମୃତ୍ୟୁ ବା ସ୍ଥାୟୀ ଭିନ୍ନକ୍ଷମତା ଦେଖାଦେଲେ ୨ ଲକ୍ଷ ଟଙ୍କା ମିଳିବ। ବଡ଼ ଦୁର୍ଘଟଣା କ୍ଷେତ୍ରରେ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲା ବାହାରକୁ ବା ବଡ଼ ମେଡିକାଲ କଲେଜକୁ ସ୍ଥାନାନ୍ତର ହେଲେ ଯାତାୟାତ ଓ ଆନୁସଙ୍ଗିକ ଖର୍ଚ୍ଚ ବାବଦକୁ ସର୍ବାଧିକ ୩୦,୦୦୦ ଟଙ୍କା ଦିଆଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଦିନରୁ ଅଧିକ ସମୟ ଚିକିତ୍ସିତ ହେଲେ ଯାତାୟାତ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ। ଆହତ ଛାତ୍ରଛାତ୍ରୀଙ୍କ ସମସ୍ତ ଚିକିତ୍ସା ସରକାରୀ ଡାକ୍ତରଖାନାରେ ସମ୍ପୂର୍ଣ୍ଣ ମାଗଣାରେ ହେବ, ଯାହାର ଖର୍ଚ୍ଚ ଆୟୁଷ୍ମାନ ଭାରତ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କିମ୍ବା ରେଡକ୍ରସ ପାଣ୍ଠିରୁ ବହନ କରାଯିବ।
Comments are closed, but trackbacks and pingbacks are open.