ପ୍ରଶାସନିକ ସ୍ତରରେ ବ୍ୟାପକ ସଂସ୍କାର: ବଦଳିଲେ ୭ ବରିଷ୍ଠ କର୍ମଚାରୀ

26

ଭୁବନେଶ୍ବର: ରାଜ୍ୟର ଶାସନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ, ଦକ୍ଷ ଏବଂ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ପ୍ରଶାସନିକ ସ୍ତରରେ ଏକ ପ୍ରମୁଖ ପରିବର୍ତ୍ତନ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ୭ ଜଣ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱରେ ରଦବଦଳ କରାଯାଇଛି। ଏହି କ୍ରମରେ ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି। ନୂତନ ନିର୍ଦ୍ଦେଶ ଅନୁସାରେ, ନବରଙ୍ଗପୁରର ପୂର୍ବତନ ଜିଲ୍ଲାପାଳ ଡକ୍ଟର ମାହେଶ୍ୱର ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନୂତନ ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ୱରର ଅତିରିକ୍ତ କମିଶନର ଶ୍ରୀ ପ୍ରଦୀପ କୁମାର ନାୟକଙ୍କୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାସଙ୍କୁ ବଦଳି କରାଯାଇ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଅନ୍ୟପଟେ, ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଆନ୍ୟା ଦାସଙ୍କୁ ନବରଙ୍ଗପୁରର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି। ଛୁଟିରୁ ଫେରିଥିବା ମଧୁମିତାଙ୍କୁ ନୂଆପଡ଼ା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସେହିପରି ସ୍ୱାସ୍ଥ୍ୟ ବିଭାଗର ଅନୁସଚିବ ଆଶ୍ନୀ ଏଲଙ୍କୁ ଭବାନୀପାଟଣାର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ, ପୂର୍ବରୁ ସେହି ପଦବୀରେ ଥିବା କସ୍ତୁରୀ ଶାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ଭାବେ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରଶାସନିକ ସ୍ତରରେ ସୁପରିଚାଳନା ପାଇଁ ସରକାର ଏହି ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

Comments are closed, but trackbacks and pingbacks are open.