ମହାନଦୀ ଟ୍ରିବ୍ୟୁନାଲ ଅବଧି ୨୦୨୭ ଜାନୁଆରୀ ଯାଏ ବୃଦ୍ଧି

57

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳକୁ କେନ୍ଦ୍ର ସରକାର ପୁଣିଥରେ ବୃଦ୍ଧି କରିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ, ଏହି ଅବଧି ୨୦୨୭ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏନେଇ କେନ୍ଦ୍ର ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଚଳିତ ଏପ୍ରିଲ ୧୩ ତାରିଖରେ ଶେଷ ହେବାକୁ ଥିଲା। ଓଡ଼ିଶା ଏବଂ ଛତିଶଗଡ଼ ସରକାର ଏହି ଅବଧିକୁ ୨୦୨୭ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ବଢ଼ାଇବାକୁ କେନ୍ଦ୍ର ନିକଟରେ ଅନୁରୋଧ କରିଥିଲେ। ତେବେ କେନ୍ଦ୍ର ସରକାର ଏହାକୁ ୨୦୨୭ ଜାନୁଆରୀ ମଧ୍ୟଭାଗ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛନ୍ତି। ୨୦୧୮ ମାର୍ଚ୍ଚ ମାସରେ ମହାନଦୀ ଜଳ ବିବାଦର ସମାଧାନ ଲାଗି ଏହି ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ନିୟମ ଅନୁଯାୟୀ ୩ ବର୍ଷ ମଧ୍ୟରେ ବିବାଦର ଫଇସଲା ହେବାର ଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହା ବିଳମ୍ବ ହୋଇଚାଲିଛି। ପୂର୍ବରୁ ଏହାର ଅବଧି ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଏବଂ ପରବର୍ତ୍ତୀ ସମୟରେ ୨୦୨୬ ଏପ୍ରିଲ ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ପୁଣିଥରେ ଏହାର କାର୍ଯ୍ୟକାଳ ବଢ଼ିଥିବାରୁ ଜଳ ବିବାଦର ଚୂଡ଼ାନ୍ତ ସମାଧାନ ପାଇଁ ଅଧିକ ସମୟ ମିଳିଛି।

Comments are closed, but trackbacks and pingbacks are open.