ଚତୁର୍ଥ ଥର ପାଇଁ ହେଲେ ରାଷ୍ଟ୍ରପତି ହେଲେ ଲୁଲା ଡା ସିଲଭା

46

ବ୍ରାଜିଲ୍: ବ୍ରାଜିଲ୍ ରାଜନୀତିରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଏକ କଡ଼ା ତଥା ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ନିର୍ବାଚନରେ ବାଜି ମାରିଛନ୍ତି ଅଭିଜ୍ଞ ନେତା ତଥା ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା। ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଦକ୍ଷିଣପନ୍ଥୀ ନେତା ଫ୍ଲାଭିଓ ବୋଲସୋନାରୋଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ଲୁଲା ଚତୁର୍ଥ ଥର ପାଇଁ ବ୍ରାଜିଲର ସର୍ବୋଚ୍ଚ କ୍ଷମତା ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ବ୍ରାଜିଲର ସର୍ବୋଚ୍ଚ ନିର୍ବାଚନ ଅଦାଲତଙ୍କ ଦ୍ୱାରା ପ୍ରକାଶିତ ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ, ଲୁଲା ଡା ସିଲଭା ୫୧.୭୯ ପ୍ରତିଶତ (ପ୍ରାୟ ୬ କୋଟି ୪୨ ଲକ୍ଷ) ଭୋଟ୍ ପାଇଥିବା ବେଳେ ଫ୍ଲାଭିଓ ବୋଲସୋନାରୋଙ୍କୁ ୪୮.୨୧ ପ୍ରତିଶତ (ପ୍ରାୟ ୫ କୋଟି ୯୮ ଲକ୍ଷ) ଭୋଟ୍ ମିଳିଛି। ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରାୟ ୪୪ ଲକ୍ଷ ଭୋଟ୍‌ର ବ୍ୟବଧାନ ରହିଥିଲା, ଯାହାକି ଦେଶରେ ଦୁଇଟି ଭିନ୍ନ ବିଚାରଧାରା ମଧ୍ୟରେ ଥିବା କଡ଼ା ଟକ୍କରକୁ ସ୍ପଷ୍ଟ କରିଛି। ଏଥରକାର ନିର୍ବାଚନ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଗତ ୪ ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ଫ୍ଲାଭିଓ ବୋଲସୋନାରୋ ଲୁଲାଙ୍କଠାରୁ ଆଗୁଆ ରହି ଅଧିକ ଭୋଟ୍ ପାଇଥିଲେ। କିନ୍ତୁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଅଭାବରୁ ୨୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ (ରନ୍-ଅଫ୍) ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ଣ୍ଣାୟକ ମୁକାବିଲାରେ ଲୁଲା ଚମତ୍କାର ପ୍ରତ୍ୟାବର୍ତ୍ତନ କରି ନିଜ ସପକ୍ଷରେ ଫଳାଫଳ ଆଣିବାରେ ସଫଳ ହୋଇଛନ୍ତି। ବ୍ରାଜିଲରେ ଗଣତନ୍ତ୍ର ପୁନଃପ୍ରତିଷ୍ଠା ପରଠାରୁ ପ୍ରଥମ ପର୍ଯ୍ୟାୟରେ ପଛରେ ଥିବା କୌଣସି ପ୍ରାର୍ଥୀ ଦ୍ୱିତୀୟ ପର୍ଯ୍ୟାୟରେ ବିଜୟୀ ହେବା ଏକ ବିରଳ ତଥା ଐତିହାସିକ ଘଟଣା ଅଟେ।

Comments are closed, but trackbacks and pingbacks are open.