ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଓ ଗଜାନନ ବେଶ ଦର୍ଶନ । ଭୋର ସକାଳୁ ଆରମ୍ଭ ହୋଇଥିବା ପହଣ୍ଡି ସକାଳ ୭ଟା ୨୯ରେ ଶେଷ ହୋଇଛି। ସ୍ନାନବେଦୀରେ ଚତୁର୍ଦ୍ଧାମୁରତି ବିରାଜମାନ କରିଛନ୍ତି। ଭକ୍ତମାନେ ବଡ଼ଦାଣ୍ଡରୁ ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦର୍ଶନ କରୁଛନ୍ତି। ଦିନ ୧୨ଟା ୨୦ରୁ ୨ଟା ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନବିଧି ଅନୁଷ୍ଠିତ ହେବ। ସ୍ନାନ ମଣ୍ଡପରେ ଜଳ ବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରା ବାନ୍ଧି ଶୋଧ କରିବେ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ ସାରି ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ପରେ ଗଜପତି ମହାରାଜ ପାରମ୍ପରିକ ରୀତିରେ ଶ୍ରୀନଅରରୁ ଛେରା ପହଁରା ପାଇଁ ବିଜେ କରିବେ। ସାଢ଼େ ୩ଟାରେ ଗଜପତି ରାଜନୀତି ଓ ସ୍ନାନମଣ୍ଡପ ଛେରା ପହଁରା କରିବେ। ଅପରାହ୍ଣ ୪ଟାରୁ ୫ଟା ଭିତରେ ତିନିଠାକୁର ହାତୀ ବେଶରେ ସଜେଇ ହେବେ। ପାଳିଆ ପୁଷ୍ପାଳକ ସେବକ ଦଇତାପତିମାନଙ୍କ ସହ ମିଶି ତିନି ବାଡ଼ରେ ହାତୀ ବେଶ କରିବେ। ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନର ସୁଯୋଗ ମିଳିବ। ରାତି ୧୦ଟା ବେଳକୁ ହାତୀ ବେଶ ମଇଲମ ହେବ। ରାତି ସାଢ଼େ ୧୧ଟାରୁ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ। ରାତି ସାଢ଼େ ୨ଟାରେ ସୁନାଚିତା ଓ ରାହୁରେଖା ମଇଲମ କରାଯିବ। ଏହି ପବିତ୍ର ଦିବସରେ ବଡ଼ଦାଣ୍ଡରେ କ୍ରମାଗତ ଭାବେ ଭକ୍ତଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି।
Comments are closed, but trackbacks and pingbacks are open.