ଭୁବନେଶ୍ୱର: ରାଜ୍ୟର ସମସ୍ତ ଘରୋଇ ସ୍କୁଲ୍ ସରକାରୀ ନିୟମ ମାନିବା ଅତ୍ୟନ୍ତ ଜରୁରୀ। ବିଶେଷ କରି ଘରୋଇ ସ୍କୁଲଗୁଡ଼ିକରେ ଭିନ୍ନ ଭିନ୍ନ ପ୍ରକାଶନୀର ମହଙ୍ଗା ପୁସ୍ତକ ପଢ଼ାଯାଉଥିବା ଅଭିଯୋଗକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି କୌଣସି ଶିକ୍ଷାନୁଷ୍ଠାନ ନିୟମ ବିରୋଧରେ ଯାଇ ମନମାନୀ କରେ, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘରୋଇ ସ୍କୁଲଗୁଡ଼ିକ ନିଜସ୍ୱ ପ୍ରକାଶନୀ ବହି ବିକ୍ରି କରି ଅଭିଭାବକଙ୍କୁ ଶୋଷଣ କରୁଥିବା ଘଟଣାକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି। ଏହା ନୂତନ ଜାତୀୟ ଶିକ୍ଷା ନୀତିର ସିଧାସଳଖ ଉଲ୍ଲଂଘନ। ନୂଆ ନିୟମ ଅନୁସାରେ, ସମସ୍ତ ବିଦ୍ୟାଳୟରେ NCERT ପୁସ୍ତକ ପଢ଼ାଯିବା ଆବଶ୍ୟକ, ଯାହାକି ସୁଲଭ ମୂଲ୍ୟରେ ବଜାରରେ ଉପଲବ୍ଧ। ଏଣିକି ଘରୋଇ ସ୍କୁଲଗୁଡ଼ିକରେ NCERT ବହି ବ୍ୟବହାର କରିବା ବାଧ୍ୟତାମୂଳକ ହେବ। ଏ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ଜାରି ରହିଛି ଏବଂ ଅଭିଯୋଗ ମିଳିବା ମାତ୍ରେ ତଦନ୍ତ କରାଯାଇ ଦଣ୍ଡବିଧାନ କରାଯିବ। ଅନ୍ୟପଟେ, ଅଭିଭାବକ ସଂଘ ଏହି ସମସ୍ୟାକୁ ନେଇ ଦୀର୍ଘ ୧୦ ବର୍ଷ ଧରି ଲଢ଼େଇ କରିଆସୁଥିବା କହିଛି। ସଂଘର ଅଭିଯୋଗ ଅନୁଯାୟୀ, ଘରୋଇ ସ୍କୁଲ ଏବଂ ପ୍ରକାଶନୀ ସଂସ୍ଥାଗୁଡ଼ିକ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି। ସାଧାରଣ ବହି ତୁଳନାରେ ଏହି ବହିଗୁଡ଼ିକର ଦାମ୍ ପ୍ରାୟ ୧୦ ଗୁଣ ଅଧିକ, ଯାହା ଅଭିଭାବକଙ୍କ ଉପରେ ଆର୍ଥିକ ବୋଝ ସୃଷ୍ଟି କରୁଛି। କେବଳ ସେତିକି ନୁହେଁ, ଅଦରକାରୀ ପୁସ୍ତକ ଯୋଗୁଁ ପିଲାଙ୍କ ବ୍ୟାଗ୍ର ଓଜନ ମଧ୍ୟ ବଢ଼ୁଛି। ଏହି ବ୍ୟବସାୟିକ କାରବାର ବନ୍ଦ କରି ଦୋଷୀ ସ୍କୁଲ ବିରୋଧରେ କଠୋର ପଦକ୍ଷେପ ନେବାକୁ ସଂଘ ଦାବି କରିଛି।
Comments are closed, but trackbacks and pingbacks are open.