ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାକୁ କ୍ୟାବିନେଟ୍ ମୋହର: ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ୫ କେଜି ଚାଉଳ

51

ଭୁବନେଶ୍ବର: ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ମୋହନ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଭାବେ ପ୍ରଣୟନ ହୋଇଥିବା ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’କୁ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ୨୦୨୬-୨୭ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ମାଧ୍ୟମରେ ରାସନ କାର୍ଡଧାରୀଙ୍କୁ ଏଣିକି ମାସିକ ଅଧିକ ୫ କେଜି ଚାଉଳ ଯୋଗାଇ ଦିଆଯିବ। ଏହି ଯୋଜନା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀ ସୁଫଳ ପାଇବେ। ରାଜ୍ୟର ପ୍ରାୟ ୧ କୋଟି ୯୬ ଲକ୍ଷ ୨ ହଜାର ୯୭ଟି ପରିବାରର ୩ କୋଟି ୨୮ ଲକ୍ଷ ୫୨ ହଜାର ୪୨୯ ଜଣ ସଦସ୍ୟ ଏହାଦ୍ୱାରା ଲାଭବାନ ହେବେ। ଲୋକଙ୍କ ଖାଦ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଏହି ଅତିରିକ୍ତ ଚାଉଳ କୋଟା ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ପାଇଁ ସରକାର ବାର୍ଷିକ ୮,୮୧୩ କୋଟି ଟଙ୍କା ଖର୍ଚ୍ଚ କରିବେ। ଖାଉଟିଙ୍କୁ ଆବଶ୍ୟକ ମୁତାବକ ଚାଉଳ ଉପଲବ୍ଧ କରାଇବା ଏବଂ ଗରିବ ପରିବାରର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ହିଁ ଏହି ଯୋଜନାର ମୂଳ ଲକ୍ଷ୍ୟ। ୨୦୨୬ରୁ ଆରମ୍ଭ ହେବାକୁ ଥିବା ଏହି ପଦକ୍ଷେପ ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସଦୃଶ ହେବ।

Comments are closed, but trackbacks and pingbacks are open.