ଦୁର୍ଗାପୂଜାରେ ଓଡ଼ିଶାରେ ବର୍ଷା ସମ୍ଭାବନା: ୧୩ରେ ସୃଷ୍ଟି ହୋଇପାରେ ଲଘୁଚାପ

14

ଭୁବନେଶ୍ୱର: ଏଥର ପାର୍ବଣ ଋତୁରେ ପୂଜା ମାହୋଲକୁ ବିଗାଡ଼ିଦେଇପାରେ ବର୍ଷା। ଦୁର୍ଗାପୂଜା ଆରମ୍ଭ ବେଳକୁ ବଙ୍ଗୋପସାଗରରେ ଏକ ନୂଆ ପାଣିପାଗ ବ୍ୟବସ୍ଥା (ଲଘୁଚାପ) ସୃଷ୍ଟି ହେବାର ସଙ୍କେତ ଦେଇଛି ଭାରତୀୟ ପାଣିପାଗ ବିଭାଗ (IMD)। ଫଳରେ ପୂଜା ସମୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରୁନାହିଁ। IMDର ସୂଚନା ଅନୁଯାୟୀ, ଅକ୍ଟୋବର ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ୧୩ ତାରିଖ ବେଳକୁ ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ସିଷ୍ଟମ୍ ପରବର୍ତ୍ତୀ ସମୟରେ ବଙ୍ଗୋପସାଗର ଆଡ଼କୁ ଗତି କରି ୧୫ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସାମାନ୍ୟ ସମ୍ଭାବନା ରହିଛି। ଅକ୍ଟୋବର ୧୬ ତାରିଖରୁ ଦୁର୍ଗାପୂଜା ଆରମ୍ଭ ହେଉଥିବାରୁ ଏହି ସମ୍ଭାବ୍ୟ ସିଷ୍ଟମ୍ ଉପରେ ପାଣିପାଗ ବିଜ୍ଞାନୀମାନେ ନଜର ରଖିଛନ୍ତି। ଯଦି ଏହା ଶକ୍ତିଶାଳୀ ହୋଇ ଓଡ଼ିଶା ଉପକୂଳ ଆଡ଼କୁ ଆସେ, ତେବେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ। ତେବେ ବର୍ତ୍ତମାନଠାରୁ ପ୍ରବଳ ବର୍ଷା ନେଇ ନିଶ୍ଚିତତା ନାହିଁ। ସିଷ୍ଟମ୍ ସମ୍ପୂର୍ଣ୍ଣ ସୃଷ୍ଟି ହେବା ପରେ ହିଁ ଏହାର ପ୍ରକୃତ ଗତିପଥ ଓ ପ୍ରଭାବ ସ୍ପଷ୍ଟ ହେବ ବୋଲି IMD ପକ୍ଷରୁ କୁହାଯାଇଛି।

Comments are closed, but trackbacks and pingbacks are open.