ଗଭୀର ଅବପାତର ରୂପ ନେଲା ଲଘୁଚାପ:୩ ଦିନ ପ୍ରବଳ ବର୍ଷା

26

ଲଗାତାର ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ୧୧ ତାରିଖ ରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଘନିଭୁତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେବ । ଏବେ ଏହା ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି । ଘନିଭୁତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଏହା ର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ I ଆସନ୍ତା ୩ ଦିନ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଓ୍ୱାର୍ଣ୍ଣିଂ ଜାରି କରିଛି । ଆଜି ପାଇଁ ୧୭ଟି ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ୮ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣଂ ଜାରି କରାଯାଇଛି।
ସେହିପରି ଆଜି ଉପକୂଳ ଓଡିଶାର ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର,ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ଗଞ୍ଜାମ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, ବରଗଡ଼, ବଲାଙ୍ଗୀର, ଦେବଗଡ଼, କେନ୍ଦୁଝର, ଝାରସୁଗୁଡାରେ ପ୍ରବଳରୁ ଅତି ପ୍ରବଳ ଵର୍ଷା ସମ୍ଭାବନା ରହିଛି ।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଅଧିକ ବର୍ଷା ହେବ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଦେଇ ୨-୩ ଦିନ ମଧ୍ୟରେ ଗତି କରିବ । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହେବ । ୧୩ ତାରିଖ ବେଳକୁ ବର୍ଷା ବଢ଼ିପାରେ। ଆଭ୍ୟନ୍ତରିଣ ଓଡ଼ିଶାରେ ପ୍ରବଳ ବର୍ଷିବ । ସମୁଦ୍ରରେ ୪୫ରୁ ୬୫ କିମି ପର୍ଯ୍ୟନ୍ତ ପବନ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଏଚ୍‌. ଆର ବିଶ୍ୱାସ କହିଛନ୍ତି।
ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କ ଲାଗି ସତର୍କ ସୂଚନା ଜାରି କରାଯାଇଛି । ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.