ନୂଆଦିଲ୍ଲୀ: ତାମିଲନାଡୁର ଚେନ୍ନାଇ ବିମାନବନ୍ଦରରେ ଆଜି ଏକ ଚମକାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ୟୁଏଇର ସାରଜାରୁ ଆସିଥିବା ଏକ ଏୟାର ଆରବିଆ ବିମାନ ଅବତରଣ କରିବା ପରେ ଜଣେ ଯାତ୍ରୀ ଚଳନ୍ତା ବିମାନର ଜରୁରୀକାଳୀନ ଦ୍ୱାର ( ଖୋଲି ବାହାରକୁ ଡେଇଁ ପଡ଼ିଥିଲେ। ଏହି ଘଟଣା ପରେ ବିମାନ ମଧ୍ୟରେ ଥିବା ଅନ୍ୟ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବିମାନବନ୍ଦର ଅଧିକାରୀଙ୍କ ସୂଚନା ମୁତାବକ, ବିମାନଟି ରନୱେରେ ଅବତରଣ କରିବା ପରେ ଧୀରେ ଧୀରେ ଟ୍ୟାକ୍ସିୱେ ଦେଇ ଗତି କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ସମ୍ପୃକ୍ତ ପୁରୁଷ ଯାତ୍ରୀ ଜଣକ ହଠାତ୍ ଜରୁରୀକାଳୀନ ଦ୍ୱାର ଖୋଲି ବାହାରକୁ ଡେଇଁ ପଡ଼ିଥିଲେ। ତୁରନ୍ତ ସୁରକ୍ଷା କର୍ମୀମାନେ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଉକ୍ତ ଯାତ୍ରୀଙ୍କୁ ହେପାଜତକୁ ନେଇଥିଲେ। ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, “ବିମାନଟି ଅତି ଧୀର ଗତିରେ ଟ୍ୟାକ୍ସିୱେରେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି କିମ୍ବା ବିମାନର କୌଣସି କ୍ଷତି ହୋଇନାହିଁ।” ସୁରକ୍ଷା ଦୃଷ୍ଟିକୋଣରୁ ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଯାତ୍ରୀ ଜଣକ କେଉଁ ପରିସ୍ଥିତିରେ ଏବଂ କାହିଁକି ଏଭଳି ପଦକ୍ଷେପ ନେଲେ, ସେ ନେଇ ତାଙ୍କୁ ପଚରାଉଚରା କରାଯାଉଛି।
Comments are closed, but trackbacks and pingbacks are open.