ଭୁବନେଶ୍ୱର: କୋଟିଆ ସୀମାନ୍ତରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ମୁହାଁମୁହିଁ ପରିସ୍ଥିତିକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ ପାଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୁଣିଥରେ ଏକ ଚିଠି ଲେଖିଛନ୍ତି। ଓଡ଼ିଶାର ଭୂଭାଗ ଓ ସୀମା ସୁରକ୍ଷାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ତୁରନ୍ତ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ସେ ଦାବି କରିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ପୂର୍ବରୁ ଅକ୍ଟୋବର ୧୯ ତାରିଖରେ ଏହି ସମ୍ପର୍କରେ ଅବଗତ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ଅକ୍ଟୋବର ୨୭ ତାରିଖରେ ଏହାର ଜବାବ ଦେଇଥିଲେ। ମାତ୍ର ଏହାପରେ ମଧ୍ୟ ସୀମାନ୍ତରେ ସ୍ଥିତି ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ବିଶେଷକରି ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆ ଅଞ୍ଚଳରେ ନିର୍ବାଚନ ପରିଚାଳନା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାରୁ ଏହା ରାଜ୍ୟର ସାର୍ବଭୌମତ୍ୱ ଓ ସ୍ୱାର୍ଥ ପାଇଁ ଏକ ବଡ଼ ଚିନ୍ତାଜନକ ବିଷୟ ହୋଇପଡ଼ିଛି। ଏଭଳି ଜରୁରୀ ଏବଂ ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସର୍ବୋଚ୍ଚ ସ୍ତରରେ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ନିକଟରେ ଦୃଢ଼ ଭାବରେ ଉତ୍ଥାପନ କରନ୍ତୁ ବୋଲି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
Comments are closed, but trackbacks and pingbacks are open.