ଶ୍ରୀକ୍ଷେତ୍ର ଆସିଥିଲେ, ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଯୁବତୀ

85

ଭୁବନେଶ୍ୱର: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରା ୯ ମାସ ତଳେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସିଂହଦ୍ୱାରରେ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ। ପୁରୀ ବେଳାଭୂମି ବୁଲିବା ସହ ସେଠାରେ ବି ଭିଡିଓ ଓ ଫଟୋ ଉତ୍ତୋଳନ କରିଥିଲେ। ଯାହାର ଭିଡିଓ ଓ ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମ ଆଇଡି ‘ଟ୍ରାଭେଲ୍‌ ୱିଥ୍‌ ଜୋ’ରେ ଛାଡ଼ିଛନ୍ତି। ଜ୍ୟୋତି ଆଜି ପୁଲିସ ଦ୍ୱାରା ଗିରଫ ହେବା ପରେ ତାଙ୍କ ପୁରୀ ଆସିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ଏହାର ଖୋଳତାଡ଼ ଆରମ୍ଭ କରିଛି। ସେ କେବେ ଆସିଥିଲେ, ହୋଟେଲରେ ରହିଥିଲେ କି ଅନ୍ୟ କେଉଁଠି ରହିଥିଲେ, ଯଦି ହୋଟେଲରେ ରହିଥିଲେ, ତେବେ କେଉଁ ହୋଟେଲରେ ରହିଥିଲେ, କେତେ ଦିନ ରହିଥିଲେ, କାହା ସହିତ ଆସିଥିଲେ, କିଏ ଭିଡିଓ ଓ ଫଟୋ ଉତ୍ତୋଳନ କରୁଥିଲା, ସବୁଦିଗକୁ ଅନୁଧ୍ୟାନ କରାଯାଉଛି। ବଡ଼କଥା ହେଉଛି, ପୁରୀ କାଳିକାଦେବୀସାହିର ଜଣେ ଯୁବତୀ ଜ୍ୟୋତିଙ୍କ ସଂପର୍କରେ ଥିଲେ। ଜ୍ୟୋତିଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁତା ଥିଲା। ଗତ ଜାନୁଆରିରେ ଦୁଇଜଣ ସାଙ୍ଗ ହୋଇ ପାକିସ୍ତାନର କର୍ତ୍ତାରପୁର କରିଡର୍‌ ଯାଇଥିଲେ। ଯାହାର ଫଟୋ ସଂପୃକ୍ତ ଯୁବତୀ ନିଜ ସୋସିଆଲ୍‌ ଆଇଡିରେ ଛାଡ଼ିଛନ୍ତି। ଏଣୁ ସଂପୃକ୍ତ ଯୁବତୀଙ୍କୁ ରାଜ୍ୟ ଗୁଇନ୍ଦା ଓ ଜିଲ୍ଲା ପୁଲିସ ପକ୍ଷରୁ ପଚରାଉଚରା ଆରମ୍ଭ ହୋଇଥିବା ଜଣାପଡ଼ିଛି।

Comments are closed, but trackbacks and pingbacks are open.