ୟୁନିସେଫ୍ ଓ ପୋଲିସ ବିଭାଗର ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମରେ କିଶୋର-କିଶୋରୀଙ୍କ ଯୋଗଦାନ

85

ଭୁବନେଶ୍ୱର: ପୋଲିସ ବିଭାଗ ପକ୍ଷରୁ ଏକ ଅନନ୍ୟ ପ୍ରୟାସ ‘ଜୁଭେଣ୍ଟିକା’ ନାମକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କିଶୋର-କିଶୋରୀମାନଙ୍କୁ ସଚେତନ କରିବା ସହ ଅପରାଧ ଓ ସାଇବର ଠକେଇରୁ ଦୂରେଇ ରଖିବା ଏହାର ଲକ୍ଷ୍ୟରେ । ସାମାଜିକ ସଚେତନତା, ନିରାପତ୍ତା ଓ ଦାୟିତ୍ୱବୋଧ ସମ୍ପର୍କରେ ସେମାନଙ୍କୁ ସଚେତନ କରାଯାଇଛି । ଏହି ଅବସରରେ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରାଜ୍ୟବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୫୫ଟି ପୋଲିସ ଥାନା ଓ ପ୍ରାୟ ୧୫,୦୦୦ରୁ ଅଧିକ କିଶୋର-କିଶୋରୀ ଅଂଶଗ୍ରହଣ କରିଥିଲେ । ଆଦଭିକା କ୍ଲବର କିଶୋର-କିଶୋରୀମାନଙ୍କ ସହ ଅଙ୍ଗନବାଡ଼ି କର୍ମୀ ଓ ପାରା-ଆଇନ ସ୍ବେଚ୍ଛାସେବୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ବର୍ତ୍ତମାନ ସମୟରେ ବହୁ ସଂଖ୍ୟାରେ କିଶୋର-କିଶୋରୀ ସାମାଜିକ ଗଣମାଧ୍ୟମର ନକରାତ୍ମକ ବିଷୟବସ୍ତୁ ଉପଭୋଗ କରିବାରେ ସମୟ ଅତିବାହିତ କରୁଛନ୍ତି । ସବୁବେଳେ ସାମାଜିକ ଗଣମାଧ୍ୟମରୁ ଶିକ୍ଷଣୀୟ ବିଷୟବସ୍ତୁ ଗ୍ରହଣ କରି ଭବିଷ୍ୟତ ଉଜ୍ଵଳ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ । ଏହା ବ୍ୟତୀତ ବିଭିନ୍ନ ସମୟରେ ସେମାନେ ସାଇବର ଅପରାଧ ସହିତ ସାମାଜିକ ସମସ୍ୟାର ଶିକାର ହୋଇ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି । ଏହି ପରିସ୍ଥିତିରେ ସେମାନଙ୍କୁ ନୈତିକ ଶିକ୍ଷା ଦେବା ସହ ସେମାନଙ୍କ କଥାକୁ ଧ୍ୟାନ ଦେଇ ସଠିକ୍ ପରାମର୍ଶ ଓ ନୈତିକ ସମର୍ଥନ ପ୍ରଦାନ କରିବା ମଧ୍ୟ ଆମ ସମସ୍ତଙ୍କ ପ୍ରମୁଖ ଦାୟିତ୍ୱ ବୋଲି ଡିଜିପି ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି । ସମସ୍ତ କିଶୋର-କିଶୋରୀମାନଙ୍କୁ ନିର୍ଭୟରେ ପୋଲିସ ସହ ଯୋଗାଯୋଗ କରି ନିଜ ସମସ୍ୟା ଜଣାଇବାକୁ ଡିଜିପି ଅନୁରୋଧ କରିଛନ୍ତି ।

Comments are closed, but trackbacks and pingbacks are open.