ଜାଡେଜା ସଫଳତମ ଭାରତୀୟ ବାମହାତୀ ସ୍ପିନର୍‌

607

ନୂଆଦିଲ୍ଲୀ : ଚଳିତ ଡବ୍‌ଲ୍ୟୁଟିସି ଫାଇନାଲ୍‌ର ଚତୁର୍ଥ ଦିନରେ ଭାରତର ବାମହାତୀ ସ୍ପିନର୍ ରବୀନ୍ଦ୍ର ଜାଡେଜା କିମ୍ବଦନ୍ତୀ ସ୍ପିନର୍ ବିଶନ୍ ସିଂହ ବେଦୀଙ୍କୁ ପଛରେ ପକାଇଦେଇଛନ୍ତି । ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ଷ୍ଟିଭେନ୍ ସ୍ମିଥ୍‌, ଟ୍ରେଭିସ୍ ହେଡ୍ ଓ କ୍ୟାମେରନ୍ ଗ୍ରୀନ୍‌ଙ୍କୁ ଆଉଟ୍ କରିବା ସହ ୬୫ତମ ଟେଷ୍ଟ୍‌ରେ ୨୬୮ଟି ୱିକେଟ୍ ନେଇ ଦେଶର ସଫଳତମ ବାମହାତୀ ସ୍ପିନର୍ ହୋଇପାରିଛନ୍ତି । ତାଙ୍କର ଆଭରେଜ୍ ୨୪.୨୪ ରହିଥିବା ବେଳେ ସେ ଓଭର୍ ପିଛା ମାତ୍ର ୨.୪୫ ରନ୍ ବ୍ୟୟ କରିଛନ୍ତି । ଅନ୍ୟପକ୍ଷରେ ବେଦୀ ତାଙ୍କ ଟେଷ୍ଟ୍ କ୍ୟାରିଅର୍‌ରେ ୬୭ଟି ମ୍ୟାଚ୍ ଖେଳି ୨୬୬ଟି ୱିକେଟ୍ ନେଇଛନ୍ତି । ସେହିପରି ଜାଡେଜା ବିଶ୍ୱର ଚତୁର୍ଥ ସଫଳତମ ବାମହାତୀ ସ୍ପିନର୍ ମଧ୍ୟ ହୋଇଛନ୍ତି ।

ଏହି ତାଲିକାର ଶୀର୍ଷରେ ଶ୍ରୀଲଙ୍କାର ରଙ୍ଗନା ହେରାଥ୍ ରହିଛନ୍ତି, ଯିଏକି ୯୩ ମ୍ୟାଚ୍‌ରେ ୪୩୩ଟି ୱିକେଟ୍ ନେଇଛନ୍ତି । ସେହିପରି ୧୧୩ ମ୍ୟାଚ୍‌ରେ ୩୬୨ଟି ୱିକେଟ୍ ନେଇ ନ୍ୟୁଜିଲାଣ୍ଡ୍‌ର ଡାନିଏଲ୍ ଭିଟ୍ଟୋରୀ ଦ୍ୱିତୀୟରେ ଓ ୮୬ଟି ମ୍ୟାଚ୍‌ରେ ୨୯୭ଟି ୱିକେଟ୍ ନେଇଥିବା ଇଂଲଣ୍ଡର ଡେରିକ୍ ଅଣ୍ଡରଉଡ୍ ତୃତୀୟ ସ୍ଥାନରେ ଅଛନ୍ତି । ଚଳିତ ବର୍ଷ ଜାଡେଜା ବେଶ୍ ଉନ୍ନତ ଫର୍ମରେ ଅଛନ୍ତି । ଅଦ୍ୟାବଧି ଚଳିତ ସିିଜନ୍‌ରେ ସେ ୫ଟି ଟେଷ୍ଟ୍‌ରେ ୩୦.୫୦ ହାରରେ ୧୮୩ ରନ୍ କରିଛନ୍ତି ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ରହିଛି । ସେହିପରି ଉକ୍ତ ୫ଟି ଟେଷ୍ଟ୍‌ରେ ସେ ୧୯.୮୪ ହାରରେ ୨୫ଟି ୱିକେଟ୍ ମଧ୍ୟ ଅକ୍ତିଆର କରିଛନ୍ତି, ଯେଉଁଥିରେ ୪୨ ରନ୍‌ରେ ୭ ୱିକେଟ୍ ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି ।

Comments are closed, but trackbacks and pingbacks are open.