ହର୍ମୁଜ୍ ପ୍ରଣାଳୀ ଉପରେ ନୂତନ ଯୋଜନା ପ୍ରସ୍ତୁତ କଲା ଇରାନ

28

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ପିଛା ୧୦୦ ଡଲାର ପାଖାପାଖି ପହଞ୍ଚିଥିବା ବେଳେ, ହର୍ମୁଜ୍ ପ୍ରଣାଳୀକୁ ନେଇ ଇରାନ ଏକ ବଡ଼ କଦମ ଉଠାଇଛି। ଇରାନ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗରେ ଏକ ନୂତନ “ପ୍ରତିବନ୍ଧିତ କ୍ଷେତ୍ର”  ଘୋଷଣା କରିଛି। ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ମୋହସିନ ରେଜାଇଙ୍କ ସୂଚନା ଅନୁସାରେ, ଆମେରିକା ନୌସେନାର ଅବରୋଧ ଥିବା ସ୍ଥାନରୁ ଆରମ୍ଭ ହୋଇ ହର୍ମୁଜ୍ ପ୍ରଣାଳୀ ଦେଇ ପାରସ୍ୟ ଉପସାଗର ପର୍ଯ୍ୟନ୍ତ ଏହି କ୍ଷେତ୍ର ବିସ୍ତାରିତ ହେବ। ଆମେରିକା ଓ ଇରାନ ମଧ୍ୟରେ ସମ୍ପ୍ରତି ଘଟିଥିବା ପରସ୍ପର ବିରୋଧୀ ଆକ୍ରମଣ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଇରାନ ଏହି ଯୋଜନାରେ ଓମାନକୁ ସାମିଲ କରି ଏକ “ନୂତନ ଜାହାଜ ପଥ”ର ରୂପରେଖା ତ୍ରୟାରି କରିଛି। ଏହି ଅଞ୍ଚଳ ଦେଇ ଯାଉଥିବା ସମସ୍ତ ଜାହାଜକୁ ଇରାନ ସହ ସମନ୍ୱୟ ରକ୍ଷା କରି ଚଳାଚଳ କରିବାକୁ ପଡ଼ିବ। ନିର୍ଦ୍ଦିଷ୍ଟ ମାର୍ଗ ବାହାରେ କିମ୍ବା ବିନା ଅନୁମତିରେ ଯାତାୟାତ କରୁଥିବା ଜାହାଜକୁ ନିଷିଦ୍ଧ କରାଯିବ। ବିମାନବନ୍ଦରର ଟ୍ରାନଜିଟ୍ ଭିସା ଭଳି ଏକ ବ୍ୟବସ୍ଥା ଦ୍ୱାରା ଜାହାଜ ଚଳାଚଳ ନିୟନ୍ତ୍ରିତ ହେବ, ଯାହାଦ୍ୱାରା ବିନା ଅନୁମତିରେ କୌଣସି ଜାହାଜ ସେଠାରେ ଅଟକି ପାରିବେ ନାହିଁ।

Comments are closed, but trackbacks and pingbacks are open.