ସ୍କୁଲ ବହି ତ୍ରୁଟିକୁ ନେଇ ଆସିଲା ତଦନ୍ତ ରିପୋର୍ଟ :୪ ଅଫିସର ନିଲମ୍ବିତ

44

ଭୁବନେଶ୍ବର: ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କମିଟି ରିପୋର୍ଟ ଦେବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି l ୪ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି l ସେମାନେ ହେଲେ ପୂର୍ବତନ ଶିକ୍ଷକଶିକ୍ଷା ନିର୍ଦ୍ଦେଶାଳୟର ତତ୍କାଳୀନ ନିର୍ଦ୍ଦେଶକ (Teachers Training & SCERT) ମନୋଜ ପାଢୀ ଏବଂ ୩ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲ୍ଲୀପ ସାହୁ ଓ ଭାରତୀ ଟୁଡୁ । ଏଥିସହ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେମାନେ ହେଲେ ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ଡକ୍ଟର ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ଡକ୍ଟର ସୁଦର୍ଶନ ସନ୍ତରା । ସୂଚନାନୁଯାୟୀ, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଆଭାସୀ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଏହି ତ୍ରୁଟି ସୁଧାରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରାଯାଇ ଏହି ତ୍ରୁଟି ପାଇଁ କେଉଁ ଅଧିକାରୀ/ସଂସ୍ଥା ଦାୟୀ ତାହା ନିର୍ଣ୍ଣୟ କରିବା ପାଇଁ ବୈଠକରେ ମୁଖମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

Comments are closed, but trackbacks and pingbacks are open.