ଏକନାଥ ସିନ୍ଦେଙ୍କ ପୁଣି ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର୍‌ଦାର୍

34

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ କ୍ଷମତା ଓ ପଦବୀକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଶିବସେନାର ଦଶହରା ସମ୍ମିଳନୀ ଅବସରରେ ଦଳୀୟ ନେତା ତଥା ରାଜ୍ୟର ମନ୍ତ୍ରୀ ଗୁଲାବରାଓ ପାଟିଲ ଦେଇଥିବା ଏକ ବିବାଦୀୟ ଓ ଦୃଢ଼ ବୟାନ ରାଜନୈତିକ କରିଡରରେ ହଇଚଇ ସୃଷ୍ଟି କରିଛି। ଆଗାମୀ ଦିନରେ ଏକନାଥ ସିନ୍ଦେ ପୁନର୍ବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କାରିତ କରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିବା ସହିତ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସମ୍ମିଳନୀରେ ମନ୍ତ୍ରୀ ପାଟିଲ କହିଥିଲେ ଯେ ସିନ୍ଦେ ପୁଣି ମୁଖ୍ୟମନ୍ତ୍ରୀ ହୋଇ କୃଷକ ଓ ସାଧାରଣ ଜନତାଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବେ। ଏହା ସହିତ ସେ ଖୋଲାଖୋଲି ଭାବେ ଚେତାବନୀ ଦେଇ କହିଥିଲେ ଯେ ଯିଏ ମଧ୍ୟ ତାଙ୍କ ମୁଖ୍ୟମନ୍ତ୍ରୀ ହେବା ପଥରେ ପ୍ରତିବନ୍ଧକ ସାଜିବ, ତାହାର ରାଜନୈତିକ ପତନ ନିଶ୍ଚିତ। ଏହି ଦୃଢ଼ ମନ୍ତବ୍ୟ ପରେ ରାଜ୍ୟର ଶାସକ ଓ ବିରୋଧୀ ଶିବିରରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିବାବେଳେ ଆଗାମୀ ଦିନରେ ଏହା ନୂତନ ରାଜନୈତିକ ସମୀକରଣକୁ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି।

Comments are closed, but trackbacks and pingbacks are open.