ଭୁବନେଶ୍ବର: ଢେଙ୍କାନାଳ ସହରରେ ଆଜି ଏକ ହୃଦୟବିଦାରକ ତଥା ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ଚାକିରିରୁ ବହିଷ୍କୃତ ହେବା ପରେ ନ୍ୟାୟ ନପାଇ ଜଣେ ଯୁବକ ସହରର ଟାଉନ୍ ଥାନା ନିକଟରେ ଥିବା ଏକ ମୋବାଇଲ୍ ଟାୱାର ଉପରେ ଚଢି ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି। ଯୁବକ ଜଣକ ହେଉଛନ୍ତି ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ଗ୍ରାମର ରୁଦ୍ର ନାରାୟଣ ଦାସ। ରୁଦ୍ରଙ୍କ ଅଭିଯୋଗ ଅନୁଯାୟୀ, ସେ ୨୦୧୮ ମସିହାରେ ଓଏସଏପି (OSAP) ୧ମ ବାଟାଲିୟନରେ ଯବାନ ଭାବେ ଯୋଗ ଦେଇଥିଲେ। ଝାରସୁଗୁଡ଼ାରେ ଟ୍ରେନିଂ ନେଉଥିବା ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ତାଙ୍କୁ ମେଡିକାଲ ପଠାଯାଇଥିଲା। ତେବେ ସେଠାରେ ଦିଆଯାଇଥିବା ଏକ ଇଞ୍ଜେକ୍ସନ ଯୋଗୁଁ ତାଙ୍କ ଶରୀରରେ ଜଟିଳତା ସୃଷ୍ଟି ହୋଇଥିବା ସେ ଦାବି କରିଛନ୍ତି। ପରବର୍ତ୍ତୀ ସମୟରେ ତାଙ୍କୁ ଶାରୀରିକ ଅକ୍ଷମ ଦର୍ଶାଇ ଚାକିରିରୁ ବହିଷ୍କୃତ କରାଯାଇଥିଲା। ଚାକିରି ଫେରି ପାଇବା ପାଇଁ ରୁଦ୍ର ବିଭିନ୍ନ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ନିରାଶ ହୋଇ ସେ ଆଜି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ଟାୱାର ଉପରୁ ସେ ନିଜର ଦାବି ସମ୍ପର୍କିତ ଏକ ପତ୍ର ଅଗ୍ନିଶମ ବାହିନୀକୁ ପ୍ରଦାନ କରିଛନ୍ତି। ଯଦି ତାଙ୍କୁ ନ୍ୟାୟ ନମିଳେ, ତେବେ ସେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।
Comments are closed, but trackbacks and pingbacks are open.