ମହାକାଶକୁ ଗଲା ଭାରତର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

31

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ନାମରେ ଯୋଡ଼ି ହୋଇଛି ଆଉ ଏକ ସୁବର୍ଣ୍ଣ ଫର୍ଦ୍ଦ। ଶୁକ୍ରବାର ଭୋର ସମୟରେ ଇସ୍ରୋ ନିଜର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍ ମହାକାଶ କେନ୍ଦ୍ରରୁ ଦେଶର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍ ‘EOS-05’ର ସଫଳ ଉତ୍‌କ୍ଷେପଣ କରିଛି। GSLV-F17 ରକେଟ୍ ମାଧ୍ୟମରେ ୨,୩୦୦ କିଲୋଗ୍ରାମରୁ ଅଧିକ ଓଜନର ଏହି ଅତ୍ୟାଧୁନିକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହକୁ ଉତ୍‌କ୍ଷେପଣର ମାତ୍ର ୧୮ ମିନିଟ୍ ମଧ୍ୟରେ ନିର୍ଦ୍ଧାରିତ ସବ୍-ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର୍ ଅର୍‌ବିଟ୍‌ରେ ସଠିକ୍ ଭାବେ ସ୍ଥାପିତ କରାଯାଇଛି। ୨୦୨୬ ବର୍ଷରେ ଇସ୍ରୋର ଏହା ପ୍ରଥମ ବଡ଼ ମହାକାଶ ଅଭିଯାନ ଓ ସଫଳତା ଅଟେ। ସାଧାରଣତଃ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହଗୁଡ଼ିକ ନିମ୍ନ ପୃଥିବୀ କକ୍ଷପଥ (LEO)ରେ କାର୍ଯ୍ୟ କରୁଥିବା ବେଳେ, EOS-05 ଭୂପୃଷ୍ଠରୁ ପ୍ରାୟ ୩୬,୦୦୦ କିଲୋମିଟର ଉଚ୍ଚରେ ଥିବା ଜିଓସିଙ୍କ୍ରୋନସ୍ କକ୍ଷପଥରୁ ପୃଥିବୀର ଆବର୍ତ୍ତନ ଗତି ସହ ତାଳଦେଇ ନିରନ୍ତର ନଜର ରଖିବ। GSLV ରକେଟ୍ ଦ୍ୱାରା ବହନ କରାଯାଇଥିବା ସବୁଠାରୁ ଓଜନିଆ ଉପଗ୍ରହ ମଧ୍ୟରେ EOS-05 ଅନ୍ୟତମ। ଉତ୍‌କ୍ଷେପଣ ପୂର୍ବରୁ ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ୍ ତିରୁପତି ସ୍ଥିତ ଭଗବାନ ଭେଙ୍କଟେଶ୍ୱର ସ୍ୱାମୀଙ୍କ ମନ୍ଦିର ପରିଦର୍ଶନ କରି ମିଶନର ସଫଳତା ପାଇଁ ପ୍ରାର୍ଥନା କରିଥିଲେ। ଏହି ଅପୂର୍ବ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ଏହାକୁ ଦେଶ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ସୋସିଆଲ ମିଡିଆ ‘X’ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “GSLV-F17 ଦ୍ୱାରା ଭାରତର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍ EOS-05ର ସଫଳ ଉତ୍‌କ୍ଷେପଣ ଭାରତୀୟ ମହାକାଶ କ୍ଷେତ୍ରର ଉତ୍କର୍ଷତା, ନବସୃଜନ ଏବଂ ବର୍ଦ୍ଧିତ କ୍ଷମତାର ଜ୍ୱଳନ୍ତ ପ୍ରତିଫଳନ।” ଏଥିସହିତ ଇସ୍ରୋ ଏବଂ ଭାରତୀୟ ଶିଳ୍ପସଂସ୍ଥାଗୁଡ଼ିକ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗିତା ଦେଶର ମହାକାଶ କ୍ଷେତ୍ରକୁ ନୂଆ ଶକ୍ତି ଓ ସାମର୍ଥ୍ୟ ଯୋଗାଉଛି ବୋଲି ସେ ପ୍ରକାଶ କରିଛନ୍ତି।

Comments are closed, but trackbacks and pingbacks are open.