ଭୁବନେଶ୍ୱର : ୮୦ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ରାଜଧାନୀ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ସ୍ୱାଧୀନତା ନିମନ୍ତେ ପ୍ରାଣବଳୀ ଦେଇଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ପୂର୍ବରୁ ବିଦ୍ୟାଳୟ ଗୁଡ଼ିକରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯାଉଥିବାବେଳେ ଏବେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥି ସହ ଉପାନ୍ତ ଜିଲ୍ଲାରେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ପ୍ରତିଷ୍ଠା ସହିତ ୪ଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।ଏଗ୍ରି-ଷ୍ଟାକ୍ ପଞ୍ଜିକରଣ ନେଇ ଚାଷୀଭାଇମାନଙ୍କ ମନରେ ଥିବା ସନ୍ଦେହକୁ ଦୂର କରିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଗ୍ରି-ଷ୍ଟାକ୍ ପଞ୍ଜିକରଣ ସହିତ ଧାନକିଣା ପାଇଁ ପି-ପାସ୍ ପଞ୍ଜିକରଣର କୌଣସି ସମ୍ପର୍କ ନାହିଁ । ପି-ପାସ୍ରେ ପଞ୍ଜିକରଣ ଦ୍ୱାରା ଚାଷୀମାନେ ସେମାନଙ୍କ ଧାନ ବିକ୍ରୟ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।ରାଜ୍ୟ ସରକାର ମଧ୍ୟ ଓଡ଼ିଶାର ସବୁ ଅଞ୍ଚଳକୁ ଯୋଡ଼ିବା ପାଇଁ ୩ଟି ପ୍ରମୁଖ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଯୋଜନା କରିଛନ୍ତି । ବ୍ରହ୍ମପୁରରୁ ଜୟପୁର, ପାରଳାଖେମୁଣ୍ଡିରୁ ଆମ୍ବାଭୋନା ପର୍ଯ୍ୟନ୍ତ ନମୋ ଏକ୍ସପ୍ରେସ ୱେ ଏବଂ ମୋଟୁ ଠାରୁ ତିରିଙ୍ଗି ପର୍ଯ୍ୟନ୍ତ ଅଟଳ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି । ଏହି ତିନୋଟି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୩୧ ହଜାର କୋଟି ଟଙ୍କା ବିନିଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବା ପାଇଁ ସର୍ବାଧିକ ବୟସ ସୀମାକୁ ୩୨ରୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ଥିବା ସର୍ବାଧିକ ୬ଟି ସୁଯୋଗକୁ ଉଠାଇ ଦେବା ନେଇ ଘୋଷଣା କରିଛନ୍ତି । ବର୍ତ୍ତମାନ ଏହି ପରୀକ୍ଷା ପାଇଁ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ସୁଯୋଗ ମିଳିବ ବୋଲି ସେ କହିଛନ୍ତି । ସେହିପରି ସରକାରୀ କର୍ମଚାରୀଙ୍କ ଦେହାନ୍ତ ପରେ ଅନୂକମ୍ପା ମୂଳକ ନିଯୁକ୍ତିରେ ଯେଉଁ କିଛି କଟକଣା ଥିଲା, ତାକୁ ମଧ୍ୟ କୋହଳ କରାଯାଇଛି ।ସବୁ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ଏବଂ ଦୁର୍ନୀତିମୁକ୍ତ ପରୀକ୍ଷା ପରିବେଶ ପ୍ରଦାନ କରିବା ଉଦ୍ଦେଶ୍ୟରେ ପରୀକ୍ଷାରେ ସାମାନ୍ୟତମ ତ୍ରୁଟି ବିଚ୍ୟୁତି ହେଲେ, ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଅବସରରେ ଗାନ୍ଧୀମାର୍ଗଠାରେ ଅନୁଷ୍ଠିତ ପ୍ୟାରେଡ୍ ୫୦ ଟି ପ୍ଲାଟୁନ ଅଂଶଗ୍ରହଣ କରିଥିଲେ । ଏହି ପ୍ଲାଟୁନଗୁଡିକ ମଧ୍ୟରେ ୧୨୦ ବାଟାଲିୟନ, ସୀମା ସୁରକ୍ଷା ବଳ, ସିଆରପିଏଫ, ଆଇଟିବିପି, ଏସଓଜି ଚନ୍ଦକା, ଆନ୍ଧ୍ରପ୍ରଦେଶ ସଶସ୍ତ୍ର ପୁଲିସ ବାହିନୀ, ଭୁବନେଶ୍ୱରସ୍ଥିତ ବିଭିନ୍ନ ସ୍କୁଲର ଏନସିସି, ସ୍କାଉଟ ଓ ଗାଇଡ, ରେଡ୍କ୍ରସ ପ୍ରଭୃତି ଯୋଗଦେଇଥିଲେ । ୨୦୨୬ ଜାନୁଆରୀ ୨୬ରେ ଅନୁଷ୍ଠିତ ପରେଡ୍ରେ ଭାଗ ନେଇଥିବା ପ୍ଲାଟୁନମାନଙ୍କୁ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ଲାଟୁନମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରସ୍କାର ପ୍ରଦାନ କରିଥିଲେ । ସର୍ବୋତ୍ତମ ୟୁନିଫର୍ମ ସଶସ୍ତ୍ର ବାହିନୀ ପାଇଁ ୧୨୦ ଇନ୍ଫାଣ୍ଟି୍ର ଟି.ଏ. ବାଟାଲିୟନ୍, ଭୁବନେଶ୍ୱର, ଚନ୍ଦକା ଏସ୍ଓଜି, ଭୁବନେଶ୍ୱର ଏନସିସିରେ ଶ୍ରେଷ୍ଠ ସିନିୟର ବିଭାଗରେ ଏନ୍ସିସି ସିନିଅର୍ ଡିଭିଜନ୍ (ବାଳକ), ଏନ୍ସିସି ଡିରୋକେଫରେଟ୍, ୱାନ୍ ଓଡ଼ିଶା ଗର୍ଲସ୍ ବାଟାଲିୟନ୍ ଏନ୍ସିସି (ବାଳିକା), ଶ୍ରେଷ୍ଠ କନିଷ୍ଠ ଏନ୍ସିସି ବିଭାଗରେ ସୈନିକ ସ୍କୁଲ ଭୁବନେଶ୍ୱର ଓ ଶ୍ରେଷ୍ଠ ଅଣ-ଏନ୍ସିିସି ସ୍କୁଲ (ବାଳକ ଓ ବାଳିକା) ବିଭାଗରେ ସାଇ ଇଣ୍ଟର୍ନ୍ୟାସନାଲ୍ ସ୍କୁଲ, ଚନ୍ଦ୍ରଶେଖରପୁର, ଶ୍ରେଷ୍ଠ ଅଣ-ଏନ୍ସିିସି ସ୍କୁଲ (ବାଳକ) ବିଭାଗରେ ସେଣ୍ଟ ଜାଭିୟର୍ ହାଇ-ସ୍କୁଲ, ଖଣ୍ଡଗିରି, ଶ୍ରେଷ୍ଠ ସ୍କୁଲ ବ୍ୟାଣ୍ଡରେ କ୍ୟାପିଟାଲ୍ ଗାର୍ଲସ୍ ହାଇସ୍କୁଲ, ୟୁନିଟ୍-୨ ପୁରସ୍କୃତ ହୋଇଥିଲେ । ସେହିପରି ୨୦୨୬ ଜାନୁଆରୀ ୨୬ରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ଭାଗ ନେଇଥିବା ପ୍ରଜ୍ଞାପନ ମେଢ଼ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶକ୍ତି ବିଭାଗର ‘ପି.ଏମ୍ ସୂର୍ଯ୍ୟଘର’ ପ୍ରଥମ ପୁରସ୍କାର ପାଇଥିବାବେଳେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ‘ଶ୍ରୀ ଅନ୍ନ-ଅମୃତ ଅନ୍ନ’ ପାଇଁ ଦ୍ୱିତୀୟ ପୁରସ୍କାର ପାଇଥିଲେ । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ‘ପିଏମ୍-ଶ୍ରୀ ବିଦ୍ୟାଳୟ’ ତୃତୀୟ ପୁରସ୍କାର ପାଇଥିଲେ ।
Comments are closed, but trackbacks and pingbacks are open.