ରାଜ୍ୟରେ ନବମ ପରୀକ୍ଷା ଦେଇ ନାହାନ୍ତି ୧୪ ହଜାର ୯୩୫ ପିଲା

34

ପାଠ ପଢିବାକୁ ଅମଙ୍ଗ ହେଉଛନ୍ତି ପିଲା I ଏବର୍ଷ ମାଟ୍ରିକ ପରୀକ୍ଷା ଭଳି ନବମ ପରୀକ୍ଷା ବି ଦେଲେନି ମୋଟ ୧୪ ହଜାର ୯୩୫ ପିଲା । ଆଜି ନବମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବା ଅବସରରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଛି ଏହି ଚିନ୍ତାଜନକ ତଥ୍ୟ।

ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍‌ରେ ଉଲ୍ଲେଖ କରାଯାଇଛି ଯେ ଏଥର ନବମ ଶ୍ରେଣୀରେ ମୋଟ ୫ ଲକ୍ଷ ୬୬ ହଜାର ୨୬୯ ଜଣ ଛାତ୍ରଛାତ୍ରୀ ଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ପରୀକ୍ଷା ଦେଇଥିଲେ ୫ଲକ୍ଷ ୫୧ ହଜାର ୩୩୪ ଜଣ। ବାକି ୧୪,୯୩୫ ଜଣ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ।
ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ନଦେବା ନେଇ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ରିପୋର୍ଟ ମଗାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ମେ’ ୩୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସେମାନଙ୍କୁ କୁହାଯିବ। ନାଁ ଲେଖାଇଥିବା ସତ୍ତ୍ୱେ ଏହି ପିଲାମାନେ କାହିଁକି ପରୀକ୍ଷାରେ ଅନୁପସ୍ଥିତ ରହିଲେ, ତା’ର ରିପୋର୍ଟ ଦାଖଲ କରିବାକୁ ସେମାନଙ୍କୁ କୁହାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ନବମ ଶ୍ରେଣୀ ପରୀକ୍ଷା ଦେଇଥିବା ୫ ଲକ୍ଷ ୫୧ ହଜାର ୩୩୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୭.୨% ପାସ୍ କରିଛନ୍ତି। ୯୦୩୯ ଜଣ ଛାତ୍ରଛାତ୍ରୀ A1 ଗ୍ରେଡ୍‌ ପାଇଥିବା ବେଳେ ୫୮,୯୯୧ ଜଣ A2, ୧ଲକ୍ଷ ୧୮ ହଜାର ୭୯୨ ଜଣ B1, ‍୧ଲକ୍ଷ ୪୫ ହଜାର ୧୬୩ ଜଣ B2, ୧ଲକ୍ଷ ୯ହଜାର ୫୭୩ C, ୪୬ ହଜାର ୯୭୦ ଜଣ D, ୫ ହଜାର ୩୧୦ ଜଣ E, ୨୭ ହଜାର ୩୫୮ ଜଣ F(I) ଓ ୩୦ ହଜାର ୧୩୮ ଜଣ F(II) ଗ୍ରେଡ୍‌ ପାଇଛନ୍ତି। ତେବେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀକୁ ଉନ୍ନୀତ କରାଯାଇଛି। କିନ୍ତୁ F(II) ଗ୍ରେଡ୍‌ ପାଇଥିବା ୩୦ ହଜାର ୧୩୮ ଜଣ ଛାତ୍ରଛାତ୍ରୀଙ୍କୁ ଇମ୍ପ୍ରୁଭମେଣ୍ଟ ଟେଷ୍ଟ ଦେବାକୁ ପଡ଼ିବ। ସଂପୃକ୍ତ ସ୍କୁଲ୍‌ ଏହି ପରୀକ୍ଷା କରିବ।

ସେମାନେ ଫେଲ୍ ହୋଇଥିବା ପ୍ରତି ବିଷୟରେ କ୍ୱାଲିଫାଇଙ୍ଗ ମାର୍କ (୩୦%) ରଖିବାକୁ ସେମାନଙ୍କୁ ୩ଟି ସୁଯୋଗ ଦିଆଯିବ। ସଂପୃକ୍ତ ସ୍କୁଲ୍ ଗୁଡ଼ିକ ଏହି ପିଲାମାନଙ୍କୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ପଢ଼ାଇବେ। ତା’ପରେ ଜୁନ୍‌୧, ୮ ଓ ୧୬ରେ ଇମ୍ପ୍ରୁଭମେଣ୍ଟ ଟେଷ୍ଟ କରାଇବେ। ଯେଉଁମାନେ ପ୍ରଥମ ଇମ୍ପ୍ରୁଭମେଣ୍ଟ ଟେଷ୍ଟରେ କ୍ୱାଲିଫାଇ ନ କରିବେ ସେମାନେ ଦ୍ୱିତୀୟ ଟେଷ୍ଟ ଦେବେ। ସେଥିରେ ବି କ୍ୱାଲିଫାଇ ନହେଲେ ତୃତୀୟ ଟେଷ୍ଟ ଦେବେ।
ସୂଚନାଯୋଗ୍ୟ, ଚଳିତ ବର୍ଷ ୪୩,୪୮୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇ ନାହାନ୍ତି। ଏହାକୁ ନେଇ ସରକାର ହରଡ଼ଘଣାରେ ପଡ଼ିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲୱାରି ହିସାବ ମଗାଯାଇଛି।

Comments are closed, but trackbacks and pingbacks are open.