ଭାରତୀୟ ମହିଳା କ୍ରିକେଟ ନେତୃତ୍ୱ ପଦରୁ ଓହରିଲେ ହରମନପ୍ରୀତ କୌର

31

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ସଫଳ ତଥା ଅଭିଜ୍ଞ ଅଧିନାୟିକା ହରମନପ୍ରୀତ କୌର ସବୁ ଫର୍ମାଟ୍‌ର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ୩୭ ବର୍ଷୀୟା ଏହି ଆଇସିସି ବିଶ୍ୱକପ ବିଜୟୀ କ୍ୟାପ୍ଟେନ୍ ଇନଷ୍ଟାଗ୍ରାମ୍‌ରେ ଏକ ଭାବପୂର୍ଣ୍ଣ ବାର୍ତ୍ତା ସେୟାର କରି ନିଜର ଏହି ନିଷ୍ପତ୍ତି ସମ୍ପର୍କରେ ଜଣାଇଛନ୍ତି। ୨୦୧୬ରେ ଟି-୨୦ ଏବଂ ୨୦୨୨ରେ ମିତାଲି ରାଜଙ୍କ ଅବସର ପରେ ଦିନିକିଆ ଓ ଟେଷ୍ଟ ଦଳର ନେତୃତ୍ୱ ଭାର ଗ୍ରହଣ କରିଥିବା ହରମନପ୍ରୀତ, କ୍ୟାପ୍ଟେନ୍ସି ଛାଡ଼ିବା ନିଷ୍ପତ୍ତିକୁ ନିଜ ଜୀବନର ସବୁଠାରୁ କଠିନ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି ଯେ ଦଳର ସାର୍ବଜନୀନ ହିତ ଓ ସଫଳତା ପାଇଁ ସେ ନିଜର ବ୍ୟକ୍ତିଗତ ମହତ୍ତ୍ୱାକାଂକ୍ଷା, ସମୟ ଏବଂ କଠିନ ପରିଶ୍ରମର ତ୍ୟାଗ କରିବା ସହ ଅନେକ ସମୟରେ କଠୋର ନିଷ୍ପତ୍ତି ନେଇଛନ୍ତି। କ୍ୟାରିୟରରେ ଅନେକ ସମାଲୋଚନା, ସନ୍ଦେହ, ପ୍ରତିକୂଳ ପରିସ୍ଥିତି ଏବଂ ହୃଦୟଭଙ୍ଗର ସାମ୍ନା କରିବା ସହିତ ଦଳ ପାଇଁ ଅନେକ ଐତିହାସିକ ସଫଳତା ଆଣିଦେଇଛନ୍ତି। ଅଧିନାୟକ ପଦର ଅନ୍ତ ଘଟିଥିଲେ ସୁଦ୍ଧା କ୍ରିକେଟ୍ ପ୍ରତି ଥିବା ତାଙ୍କର ଅସୀମ ଭଲପାଇବା ପାଇଁ ସେ ଜଣେ ଖେଳାଳି ଭାବେ ନିଜର ଯାତ୍ରା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି।

Comments are closed, but trackbacks and pingbacks are open.