ଭୁବନେଶ୍ୱର: ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ଶେଷରେ ପଛକୁ ହଟିଛନ୍ତି ମୋହନ ସରକାର। ବ୍ୟାପକ ଜନ ଅସନ୍ତୋଷ ଓ ସମାଲୋଚନାର ସମ୍ମୁଖୀନ ହେବା ପରେ ଏହି ବିବାଦୀୟ ଦରମା ବୃଦ୍ଧି ବିଲ୍କୁ ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ସ୍ୱରୂପ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ବିଲ୍ ପ୍ରତ୍ୟାହାର ପାଇଁ ଆଜି ବିଧିବଦ୍ଧ ଭାବେ ନୋଟିସ୍ ଜାରି କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଶୀତକାଳୀନ ଅଧିବେଶନରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀ ଏବଂ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇଁ ଏହି ବିଲ୍ ଆଗତ କରାଯାଇଥିଲା। ଏହି ନୂଆ ବ୍ୟବସ୍ଥା ଅନୁଯାୟୀ, ଓଡ଼ିଶାର ବିଧାୟକମାନଙ୍କୁ ମାସିକ ପ୍ରାୟ ୩ ଲକ୍ଷ ୪୫ ହଜାର ଟଙ୍କା ମିଳିବାର ପ୍ରାବଧାନ ରହିଥିଲା। ମାତ୍ର ଏହି ଅହେତୁକ ଦରମା ବୃଦ୍ଧି ତଥ୍ୟ ସାର୍ବଜନୀନ ହେବା ପରେ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
କେବଳ ସାଧାରଣ ଜନତା ନୁହଁନ୍ତି, ବରଂ ବିରୋଧୀ ଦଳ ସମେତ ଶାସକ ଦଳର କିଛି ବିଧାୟକ ମଧ୍ୟ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଜନସାଧାରଣଙ୍କ ଚାପ ଏବଂ ଚତୁର୍ଦ୍ଦିଗରୁ ସମାଲୋଚନାକୁ ଦୃଷ୍ଟିରେ ରଖି ସରକାର ନିଜ ନିଷ୍ପତ୍ତି ବଦଳାଇଛନ୍ତି। ଆଜି ବିଲ୍ ପ୍ରତ୍ୟାହାର ପ୍ରସ୍ତାବ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଏ ଦିଗରେ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ ହୋଇଛି।
Comments are closed, but trackbacks and pingbacks are open.