ରୁକୁଣା ରଥଯାତ୍ରା ପାଇଁ ବିଧାନସଭା ଛୁଟି: ସୋମବାର ଯାଏଁ ଗୃହ ମୁଲତବୀ

210

ଭୁବନେଶ୍ୱର: ପବିତ୍ର ରୁକୁଣା ରଥଯାତ୍ରା ପାଇଁ ବିଧାନସଭା ଗୃହ କାର୍ଯ୍ୟ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ଗୃହରେ ନଗର ଉନ୍ନୟନ ଏବଂ ସାମାଜିକ ସୁରକ୍ଷା ବିଭାଗର ବଜେଟ୍ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାର ଥିଲା। ମାତ୍ର ରୁକୁଣା ରଥଯାତ୍ରା ପାଇଁ ଏହି ଆଲୋଚନାକୁ ସ୍ଥଗିତ ରଖିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ପ୍ରସ୍ତାବକୁ ଗୃହରେ ଉପସ୍ଥାପନ କରିବା ପରେ ବାଚସ୍ପତି ସୁରମା ପାଢ଼ୀ ଏହାକୁ ଗ୍ରହଣ କରିଥିଲେ। ଫଳରେ ଆସନ୍ତା ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ଆସନ୍ତା ୩୦ ତାରିଖ ଅର୍ଥାତ୍ ସୋମବାର ଦିନ ‘ଗିଲୋଟିନ୍’ ମାଧ୍ୟମରେ ଏହି ବଜେଟ୍ ନିଷ୍ପତ୍ତି ନିଆଯିବ। ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ପବିତ୍ର ରାମ ନବମୀ ଏବଂ ତା’ପରେ ଶନିବାର ଓ ରବିବାର ସରକାରୀ ଛୁଟି ଥିବାରୁ ସୋମବାର ଦିନ ହିଁ ସରକାରୀ କାର୍ଯ୍ୟାଳୟ ଓ ବିଧାନସଭା ପୁଣି ଖୋଲିବ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏହି ପ୍ରସିଦ୍ଧ ରୁକୁଣା ରଥଯାତ୍ରା ପାଇଁ ରାଜ୍ୟ ସରକାର ଭୁବନେଶ୍ୱରରେ ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି। ରଥଯାତ୍ରା ଅବସରରେ ମହାପ୍ରଭୁ ରଥରେ ବିରାଜମାନ କରି ମାଉସୀମା ମନ୍ଦିର ଅଭିମୁଖେ ଯାତ୍ରା କରିବେ।

Comments are closed, but trackbacks and pingbacks are open.